ଭୁବନେଶ୍ବର : ଚାଷୀ ଓ ଚାଷକୁ ନେଇ ବିଜେଡ଼ି ଭାଜପା ଖେଳ ବନ୍ଦ କରନ୍ତୁ । ମିଥ୍ୟା, ପ୍ରବଚନ ଓ ଠକାମିର ଶିକାର ହୋଇ ଚାଲିଛନ୍ତି ଓଡ଼ିଶାର କୋଟି କୋଟି ଚାଷୀ ପରିବାର । ବର୍ତମାନ ଚାଷୀକୂଳ ସାର ପାଇଁ ଡ଼ହଳ ବିକଳ ହେଉଥିବାବେଳେ ସାର ଅନେକ ଯାଗାରେ କଳାବଜାରରେ ବିକ୍ରି ହେଉଛି । ବାଧ୍ୟ ହୋଇ ଚାଷୀ କିଣୁଛନ୍ତି । ଠିକ୍ ଏପରି ଏକ ଦୁଃସ୍ଥିତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବକେୟା ସାର ପାଇଁ କେନ୍ଦ୍ର ପାଖରେ ନିବେଦନ ପତ୍ର ଦାଖଲ କରିଛନ୍ତି ବୋଲି କହିଛି କଂଗ୍ରେସ । ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ସରକାର ଉପରେ ଏପରି ଢଙ୍ଗରେ ବର୍ଷିଛନ୍ତି ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ।
କଂଗ୍ରେସ କହିଛି, କେନ୍ଦ୍ରରେ ଥିବା ଭାଜପା ସରକାର ଓ ରାଜ୍ୟ ସରକାର ଅଯଥା ଅଭାବୀ ସୃଷ୍ଟି କରୁଥିବା ବେଳେ ରାଜ୍ୟରେ ସାର ମହଜୁଦ ଅଛି ବୋଲି କହି ଚାଲିଛନ୍ତି । ଉଭୟ ବିଜେଡ଼ି ଓ ବିଜେପି ସରକାର ଖେଳୁଛନ୍ତି ବୋଲି ପଞ୍ଚାନନ । ବିଜେପି ଓ ବିଜେଡି ମଧ୍ୟରେ ଭିତିରି ସମ୍ପର୍କ ରହିଛି । ଚାଷୀ ବିରୋଧି ବିଲ୍ ସବୁକୁ ସମର୍ଥନ କରି ଆସିଛି ବିଜେଡି । ହେକ୍ଟର ପିଛା ବାର୍ଷିକ ହାରାହାରି ୧୦୦ କିଲୋଗ୍ରାମ ମଧ୍ୟ ସାର ବ୍ୟବହାର ହୁଏ ନାହିଁ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ହେକ୍ଟର ପିଛା ୧୨୨ କିଲୋଗ୍ରାମ, ଆନ୍ଧ୍ର, ତେଲେଙ୍ଗାନାରେ ୧୩୮ କିଲୋ, ଛତିଶଗଡ଼ରେ ୧୦୦ କିଲୋ ଥିବାବେଳେ ଓଡ଼ିଶାର ୯୮ କିଲୋଗ୍ରାମ ବ୍ୟବହାର ହୋଇଥାଏ ।
ରାଜ୍ୟକୁ ଆବଶ୍ୟକ ଥିବା ସାର ପରିମାଣ ସମ୍ପର୍କରେ ତଥ୍ୟ ଦେଇ ପଞ୍ଚାନନ କହିଛନ୍ତି, ଖରିଫ ଫସଲ ପାଇଁ ପୁରା ରାଜ୍ୟର ଆବଶ୍ୟକତା ସରକାରୀ ଆକଳନ ଅନୁସାରେ ୨,୧୦,୦୦୦ ଟନ ୟୁରିଆ ଆବଶ୍ୟକତା ଥିବାବେଳେ ମାତ୍ର ୧ଲକ୍ଷ ୪୫,୧୪୫ ମେ.ଟ ମିଳିଛି । ସେହିପରି ୧ଲକ୍ଷ ୪୫,୧୪୫ ମେ.ଟ ଡ଼ି.ଏ.ପି ସାର ଆବଶ୍ୟକ ଥିବା ବେଳେ ମିଳିଛି ୧,୪୫,୦୦୦ ଟନ । ଏନ୍.ଟି.ପି ୬୦ ହଜାର ଟନ ମେ.ଟ ଆବଶ୍ୟକ ଥିବାବେଳେ ମିଳିଛି ୪୨, ୮୬୭ ମେ.ଟ । ଏନ୍.ପି.କେ ୧,୪୨ ହଜାର ଟନ ଆବଶ୍ୟକ ଥିବାବେଳେ ମାତ୍ର ୧,୦୫,୭୯୮ ମେଟ୍ରିକ୍ ଟନ ମିଳି ପାରିଛି । ସେହିପରି ଓଡ଼ିଶାରେ ମୋଟ ୫,୫୦୦୦୦ ଟନ ଆବଶ୍ୟକ ଥିବାବେଳେ ଛତିଶ୍ଗଡ଼ ୬ଲକ୍ଷ ୬୫ ହଜାର ଟନ ବ୍ୟବହାର କରିଛି ।
ପଞ୍ଚାନନ ଆହୁରି ମଧ୍ୟ କହିଛନ୍ତି ,ଓଡ଼ିଶାରେ ୧୯୫୫ ମସିହାରେ କଂଗ୍ରେସ ସରକାର ସମୟରେ ସବୁ ସାର କାରଖାନା ଓଡ଼ିଶାର ପ୍ରତିଷ୍ଠା ହୋଇଛି । ତାଳଚେର ସାର କାରଖାନା, ରାଉରକେଲା ସାର କାରଖାନା, ପି.ପି.ଏଲ, ଅସୱାଲ ଯାହାକି ଏକ ଭଲ ସାର ଉତ୍ପାଦନକାରୀ କାରଖାନା ଭାବେ ଚାଲିଛି । ନବୀନବାବୁ ୨୨ ବର୍ଷର ଶାସନ କାଳରେ ସାର ଉତ୍ପାଦନ କେନ୍ଦ୍ରଟିଏ ବସାଇ ନାହାନ୍ତି । କେବଳ ଯାହା ଖଣି ଖାଦାନ ଲୁଟ କରି ଦଳୀୟ ପାଣ୍ଠି ସଂଗ୍ରହ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଯେଉଁଥି ପାଇଁ ରାଜ୍ୟରେ ଚାଷୀର ଏହି ଦୁର୍ଦ୍ଦଶା ଘଟୁଛି ।