ଓଡିଶା

odisha

By

Published : Jun 5, 2022, 11:49 AM IST

Updated : Jun 5, 2022, 2:18 PM IST

ETV Bharat / city

ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କଲେ ନବୀନ: ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ ?

Odisha Cabinet Reshuffle: ଆଜି ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ
Odisha Cabinet Reshuffle: ଆଜି ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

14:12 June 05

ନବୀନଙ୍କ ନୂଆ ଟିମ: ଶପଥ ପରେ ଆରମ୍ଭ ହେଲା ବିଭାଗ ବଣ୍ଟନ

ଜାଣନ୍ତୁ କାହାକୁ କେଉଁ ବିଭାଗ ?

ନୂଆ ଟିମ ମନ୍ତ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ବ । ବଣ୍ଟନ ହେଲା ମନ୍ତ୍ରୀ ବିଭାଗ । ଜଗନ୍ନାଥ ସାରକା ଆଦିବାସୀ କଲ୍ୟାଣ ମନ୍ତ୍ରୀ । ନିରଞ୍ଜନ ପୂଜାରୀ ଅର୍ଥ ମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ । ରଣେନ୍ଦ୍ର ପ୍ରତାପ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ । ଉଷା ଦେବୀ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଓ ପ୍ରମିଳା ମଲ୍ଲିକ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ଭାବେ ଦାୟିତ୍ବ ପାଇଛନ୍ତି ।

12:53 June 05

ଶପଥ ଗ୍ରହଣ ସମାରୋହ ଶେଷ: 13 ଜଣଙ୍କୁ କ୍ୟାବିନେଟ ପାହ୍ୟା, ୮ ଜଣ ରାଷ୍ଟ୍ରମନ୍ତ୍ରୀ

ଶପଥ ଗ୍ରହଣ ସମାରୋହ ଶେଷ

ଶେଷ ହେଲା ଶପଥ ଗ୍ରହଣ ସମାରୋହ । ନବୀନ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୨୧ ଜଣ ମନ୍ତ୍ରୀ । ପ୍ରଥମେ କ୍ୟାବିନେଟ ମନ୍ତ୍ରୀ ଭାବେ ଜଗନ୍ନାଥ ସାରକା ଶପଥ ଗ୍ରହଣ କରିଥିବା ବେଳେ ସର୍ବଶେଷରେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । 13 ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । ମନ୍ତ୍ରୀ ତାଲିକାରେ ନୂଆ ଚେହେରା ଭାବେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ବିଜେପୁର ବିଧାୟକ ରୀତା ସାହୁ ଓ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଶପଥ ପାଠ କରିଥିବା ବେଳେ ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି ପ୍ରମିଳା ମଲ୍ଲିକ, ଊଷା ଦେବୀ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ଦେବ ଓ ପ୍ରଦୀପ ଅମାତ । ଅଶୋକ ପଣ୍ଡା, ନିରଞ୍ଜନ ପୂଜାରୀ, ନବକିଶୋର ଦାସ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ସମୀର ରଞ୍ଜନ ଦାସ, ପ୍ରଫୁଲ୍ଲ ମଲ୍ଲିକ ଓ ଜଗନ୍ନାଥ ସାରକାଙ୍କ ଉପରେ ନବୀନ ପୁନଃ ଆସ୍ଥା ପ୍ରକଟ କରିଛନ୍ତି । ଏମାନେ ପୁଣି ଶପଥ ନେଇଛନ୍ତି ।

12:43 June 05

ପ୍ରଥମ ଥର ମନ୍ତ୍ରୀ ହେଲେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୧୯ରେ ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିଲେ । ସେ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ପାଇଛନ୍ତି ।

12:38 June 05

ରାଷ୍ଟ୍ରମନ୍ତ୍ରୀ ହେଲେ ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ ଓ ରିତା ସାହୁ

ବିଜେପୁର ବିଧାୟିକା ରୀତା ସାହୁ

କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ ଏଠାରୁ ପ୍ରଥମ ଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଧାୟକ ରୋହିତ ପୂଜାରୀ ହେଲେ ରାଷ୍ଟ୍ରମନ୍ତ୍ରୀ । ସରକାରୀ ଦଳର ଉପ ମୁଖ୍ୟ ସଚେତକ ଥିଲେ । ସେ ପ୍ରଥମ ଥର ଲାଗି ମନ୍ତ୍ରୀ ପଦ ପାଇଛନ୍ତି । ରେଢାଖୋଲରୁ ସେ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବରଗଡ଼ ବିଜେପୁର ବିଧାୟିକା ରୀତା ସାହୁ ପ୍ରଥମଥର ମନ୍ତ୍ରୀ ହୋଇଛନ୍ତି । ସେ ସ୍ବାମୀ ସୁବଳ ସାହୁଙ୍କ ମୃତ୍ୟୁ ପରେ ସେ ନିର୍ବାଚନ ଲଢିଥିଲେ ।

12:30 June 05

ପ୍ରଥମ ଥର ମନ୍ତ୍ରୀ ପଦ ପାଇଲେ ପ୍ରୀତିରଞ୍ଜନ ଘଡ଼ାଇ ଓ ଶ୍ରୀକାନ୍ତ ସାହୁ

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

ପ୍ରୀତିରଞ୍ଜନ ଘଡ଼ାଇ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ ପ୍ରଥମ ଥର ଲାଗି ମନ୍ତ୍ରୀ ପଦ ପାଇଛନ୍ତି । ଯାଜପୁର କୋରେଇରୁ ଥରେ ଓ ସୁକିନ୍ଦାରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗଞ୍ଜାମ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି । ସେ ପୋଲସରାରରୁ ୨ ଥର ନିର୍ବାଚିତ ହୋଇଛନ୍ତି ।

12:25 June 05

ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଲେ ସମୀର ଦାଶ ଓ ଅଶ୍ବିନୀ ପାତ୍ର

ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୁରୀ ଜିଲ୍ଲା ନିମାପଡ଼ାରୁ ୩ ଥର ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ରହିଥିଲେ । ଅଶ୍ବିନୀ କୁମାର ପାତ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଥମ ଥର ପାଇଁ ହେଲେ ମନ୍ତ୍ରୀ । ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

12:20 June 05

ଶପଥ ନେଲେ ଅଶୋକ ପଣ୍ଡା, ରାଜେନ୍ଦ୍ର ଢୋଲକିଆ ଓ ଟୁକୁନି ସାହୁ

ଟୁକୁନି ସାହୁ

ଅଶୋକ ଚନ୍ଦ୍ର ପଣ୍ଡା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୧୪ରୁ ୨୦୧୯ ଯାଏଁ ପର୍ଯ୍ୟଟନ ମନ୍ତ୍ରୀ ଥିଲେ । ୨୦୦୯ରୁ ଲଗାତାର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଥିଲେ । ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ ମନ୍ତ୍ରୀ । ନୂଆପଡା ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

12:15 June 05

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ପ୍ରଦୀପ ଅମାତ ଓ ନବ ଦାସ

ବୌଦ୍ଧ ବିଧାୟକ ପ୍ରଦୀପ ଅମାତ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୦୪ରୁ ବିଜେଡ଼ି ଟିକେଟ ପାଇଁ ନିର୍ବାଚିତ ହୋଇଆସୁଛନ୍ତି । ପୂର୍ବରୁ ସ୍ବାଧୀନ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ । ବୌଦ୍ଧରୁ ଲଗାତର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ । ପୂର୍ବତନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । କଂଗ୍ରେସରୁ ୨ ଥର ଓ ବିଜେଡ଼ିରୁ ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଝାରସୁଗୁଡାରୁ ଲଗାତାର ୩ ଥର ବିଧାୟକ ଭାବେ ନିର୍ବାଚିତ ।

12:10 June 05

ଶପଥ ନେଲେ ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକ

ଶପଥ ନେଲେ ପ୍ରତାପ ଦେବ

ଆଳି ବିଧାୟକ ପ୍ରତାପ କେଶରୀ ଦେବ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୦୦ ମସିହାରୁ ଲଗାତାର ୪ ଥର ନିର୍ବାଚିତ ହୋଇଛନ୍ତି । ନିଯୁକ୍ତି, ବୈଷୟିକ ଶିକ୍ଷା ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ସହିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବରୁ ଶକ୍ତି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସହ ଲୋକ ସମ୍ପର୍କ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । କେନ୍ଦ୍ରାପଡ଼ାରୁ ସେ ୪ ଥର ନିର୍ବାଚିତ ହୋଇଛନ୍ତି ।

12:04 June 05

ଶପଥ ନେଲେ ଊଷା ଦେବୀ ଓ ପ୍ରଫୁଲ୍ଲ ମଲ୍ଲିକ

ଚିକିଟି ବିଧାୟିକା ଊଷା ଦେବୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ । ଯୋଜନା ଓ ସଂଯୋଜନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସହିତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ୨୦୦୦ ମସିହାରୁ ସେ ଲଗାତାର ଭାବେ ନିର୍ବାଚନରେ ବିଜୟିନୀ ହୋଇ ଆସୁଛନ୍ତି । ସେ ଚିକିଟିରୁ ୬ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଫୁଲ୍ଲ ମଲ୍ଲିକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଢେଙ୍କାନାଳ କାମାକ୍ଷାନଗରରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୧୯ରୁ ପୂର୍ତ୍ତ ବିଭାଗ ଓ ଇସ୍ପାତ ଖଣି ମନ୍ତ୍ରୀ ଥିଲେ ।

12:00 June 05

ଶପଥ ନେଲେ ରାଜା ସ୍ବାଇଁ ଓ ପ୍ରମିଳା ମଲ୍ଲିକ

କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ । ଆଠଗଡ଼ରୁ ସେ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଯାଜପୁର ବିଞ୍ଝାପୁର ଆସନରୁ ୬ ଥର ନିର୍ବାଚିତ ହୋଇଥିବା ବିଧାୟିକା ପ୍ରମିଳା ମଲ୍ଲିକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୩ ଥର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ । ସରକାରୀ ଦଳର ମଧ୍ୟ ମୁଖ୍ୟ ସଚେତକ ଥିଲେ ।

11:54 June 05

ଆରମ୍ଭ ହେଲା ଶପଥ ଗ୍ରହଣ ସମାରୋହ

ଆରମ୍ଭ ହେଲା ଶପଥ ଗ୍ରହଣ । ଲୋକସେବା ଭବନରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ । କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଥମେ ଶପଥ ଗ୍ରହଣ କଲେ ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଓ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ।

11:25 June 05

ଲୋକସେବା ଭବନରେ ନୂଆ ଟିମ୍‌

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନୂଆ ଟିମ ଗଢିଛନ୍ତି ନବୀନ । ନବୀନଙ୍କ ନୂଆ ଟିମ୍‌ରେ ୧୩ଜଣ କ୍ୟାବିନେଟ୍ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି । ଆଜି ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ସମାରୋହ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଏଥିଲାଗି ଲୋକସେବା ଭବନରେ ପହଞ୍ଚୁଛନ୍ତି ସମ୍ଭାବ୍ୟ ମନ୍ତ୍ରୀ ।

Last Updated : Jun 5, 2022, 2:18 PM IST

ABOUT THE AUTHOR

...view details