ଭୁବନେଶ୍ବର: ପୁରୀ ସ୍ବର୍ଗଦ୍ବାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ କରାଯିବ 5 କୋଟି ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ । ଫୋନିକ୍ସ ଫାଉଣ୍ଡେସନ ସହଯୋଗରେ ଏହି ବିକାଶ କାର୍ଯ୍ୟ କରାଯିବ ।
ଶୁକ୍ରବାର ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଫନି ପରେ ସ୍ବର୍ଗଦ୍ବାର ବହୁତ କ୍ଷତି ହୋଇଥିଲା । ତେଣୁ ଏହାର ସାମଗ୍ରୀକ ବିକାଶ ପାଇଁ ରାଜ୍ୟ ସରକାର କାମ ହାତକୁ ନେଇଛନ୍ତି । ଏଥିରେ ଶବଦାହ ଠାରୁ ଆରମ୍ଭ କରି ଶବବାହକଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ସବୁ ଋତୁରେ ସୁବିଧାରେ ଶବଦାହ ପାଇଁ ଏଠାରେ ବ୍ୟବସ୍ଥା କରାଯିବ । ଶବବାହକଙ୍କ ସୁବିଧା ପାଇଁ ବିଶ୍ରାମକକ୍ଷଠାରୁ ଆରମ୍ଭ କରି ବ୍ୟାପକ ବୃକ୍ଷରୋପଣ କରାଯିବ । ଅସ୍ଥି ସଂଗ୍ରହ ଏବଂ ଏହାର ସଂରକ୍ଷଣ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ତେବେ ଏହି କାମ ଆରମ୍ଭର 6 ମାସ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।