ଭୁବନେଶ୍ବର:ବେଆଇନ ବାଲି ଉତ୍ତୋଳନକୁ ପ୍ରୋତ୍ସାହନ ଦେବା ପଡିଲା ମହଙ୍ଗା । ନିଲମ୍ବିତ ହେଲେ ମୟୂରଭଞ୍ଜ ଜିଲ୍ଲା ବଡସାହି ତହସିଲଦାର ମମତାଜ ମହାରଣା । ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ତାଙ୍କୁ ନିଲମ୍ବନ କରିଛନ୍ତି । ଏନେଇ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବଡସାହି ତହସିଲଦାର ମମତାଜ ମହାରଣା ବେଆଇନ ବାଲି ଉତ୍ତୋଳନକୁ ପ୍ରୋତ୍ସାହିତ କରୁଥିଲେ । ଏ ସମ୍ପର୍କରେ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ବଡସାହି ତହସିଲ ଅଧୀନ ବୁଢାବଳଙ୍ଗ ନଦୀର ଦୁଇଟି ବାଲିଘାଟକୁ ନେଇ ଏନଜିଟି ମାମଲା ପରେ ଅଭିଯୁକ୍ତ ତହସିଲଦାରଙ୍କୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ଏପ୍ରିଲ 30 ତାରିଖରେ ମୟୂରଭଞ୍ଜ ଜିଲ୍ଲାପାଳ ଏନେଇ ଅଭିଯୋଗ କରିଥିଲେ । ପୃଥକ ବାଲି ଘାଟ ପାଇଁ ଲିଜଧାରୀ ପ୍ରଦୀପ ବିନ୍ଧାଣିଙ୍କ ସହିତ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କ ନାମରେ ଦୁଇଟି ମାମଲା ରୁଜୁ କରାଯାଇଥିଲା ।