ଓଡିଶା

odisha

ETV Bharat / city

ପାଇକ ସ୍ମାରକୀ ଲାଗି 9.685 ଏକର ଜମି ଦେଲେ ରାଜ୍ୟ ସରକାର - ପାଇକ ସ୍ମାରକୀ ପାଇଁ ଜମି

ପାଇକ ସ୍ମାରକୀ ପାଇଁ 9.685 ଏକର ଜମି ଯୋଗାଇବେ ରାଜ୍ୟ ସରକାର । ଆଜି ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

ପାଇକ ସ୍ମାରକୀ ଲାଗି 9.685 ଏକର ଜମି ଦେଲେ ରାଜ୍ୟ ସରକାର
ପାଇକ ସ୍ମାରକୀ ଲାଗି 9.685 ଏକର ଜମି ଦେଲେ ରାଜ୍ୟ ସରକାର

By

Published : Jul 19, 2022, 2:25 PM IST

ଭୁବନେଶ୍ବର: ପାଇକ ସ୍ମାରକୀ ନେଇ ଆଜି ରାଜ୍ୟ କ୍ୟାବିନେଟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର 9.685 ଏକର ଜମି ଯୋଗାଇ ଦେବେ । ଏନେଇ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । କ୍ୟାବିନେଟ ନିଷ୍ପତ୍ତି ଅନୁସାରେ, ପାଇକ ସ୍ମାରକୀ ଲାଗି ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ପାହାଡ ପାଦଦେଶରେ 9.685 ଏକର ଜମି ଯୋଗାଇ ସରକାର ଦେବେ । ସରକାରୀ ଜମିକୁ ପାଇକ ବିଦ୍ରୋହ ସ୍ମୃତି ଉଦ୍ଦେଶ୍ୟରେ ପାଇକ ସ୍ମାରକୀ ନିର୍ମାଣ ନିମନ୍ତେ ବିନା ମୂଲ୍ୟରେ କେନ୍ଦ୍ର ସରକାରଙ୍କୁ ଯୋଗାଇ ଦିଆଯିବ ।

ଏଥିପାଇଁ 31 କୋଟି 97 ଲକ୍ଷ 62 ହଜାର 934 ଟଙ୍କା ରାଜସ୍ବ ଦେୟ ବାବଦକୁ ଛାଡ଼ କରାଯାଇଛି । ବିଧାନସଭାର ଶୂନ୍ୟ କାଳରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି । ବରୁଣେଇ ପାହାଡ଼ ପାଦଦେଶରେ 1817 ମସିହାରେ ବ୍ରିଟିଶ ସରକାରଙ୍କ ବିରୋଧରେ ସଂଗଠିତ ଯୁଦ୍ଧ ଯାହା ପାଇକ ବିଦ୍ରୋହ ନାମରେ ଇତିହାସରେ ନାମିତ । ଏହା ସମଗ୍ର ଭାରତ ବର୍ଷରେ ସ୍ଵାଧୀନତା ଆନ୍ଦୋଳନର ପ୍ରଥମ ପଦକ୍ଷେପ ନାମରେ ବିଦିତ । ଏହି ସଂଗ୍ରାମ ତତ୍କାଳୀନ ରୋଡଙ୍ଗର ଜମିଦାର ବକ୍ସି ଜଗବନ୍ଧୁ ବିଦ୍ୟାଧର ରାୟ ମହାପାତ୍ରଙ୍କ ନେତୃତ୍ବରେ ଲଢ଼େଇ ହୋଇଥିଲା ।

ଏହି ସଂଗ୍ରାମରେ ଓଡ଼ିଶାର ବହୁ ସଂଗ୍ରାମୀ ଯୋଦ୍ଧା ଅଂଶଗ୍ରହଣ କରିଥିଲେ । ଏହି ଯୋଦ୍ଧାମାନଙ୍କୁ ଓଡ଼ିଶାରେ ପାଇକ ବୋଲି କୁହାଯାଏ । ଏହା ଓଡ଼ିଶାର ଐତିହ ଓ ସଂଗ୍ରାମୀ ପରମ୍ପରାର ପ୍ରତୀକ ହୋଇଥିବାରୁ ଏବଂ ଭାରତର ସ୍ଵାଧୀନତା ଆନ୍ଦୋଳନକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରେରଣା ଯୋଗାଇବାରେ ସହାୟକ ହୋଇଥିବାରୁ ଏହି ସଂଗ୍ରାମ ସଂଗଠିତ ହୋଇଥିବା ସ୍ଥଳରେ କେନ୍ଦ୍ର ସରକାର ଏକ ସ୍ମାରକୀ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇ ଦେଇଛନ୍ତି । ଏହି ସ୍ମାରକୀ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ବିକାଶରେ ସହଯୋଗ କରିବା ସହ ଐତିହାସିକ ଓ ଗବେଷକମାନଙ୍କୁ ବିଶେଷ ସହାୟତା ପ୍ରଦାନ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details