ଓଡିଶା

odisha

ETV Bharat / city

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତିରେ ସାମିଲ ଥିବା ୪ ଜଣ ଅଧିକାରୀଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

By

Published : Oct 5, 2021, 1:22 PM IST

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର:ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ । ଯେଉଁମାନେ ଦୁର୍ନୀତିରେ ସାମିଲ ଥିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଆଭିମୁଖ୍ୟ ଅନୁଯାୟୀ ରାଜ୍ୟର ୪ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏଥିରେ 2 ଜଣ ଓଡି଼ଶା ପ୍ରଶାସନିକ ଅଧିକାରୀ, ଜଣେ ଜିଲ୍ଲା ସବ ରେଜିଷ୍ଟ୍ରାର ଓ ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ରହିଛନ୍ତି । ଏ ସମସ୍ତଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି ।

ଅନୁଗୋଳର ଡେପୁଟି କଲେକ୍ଟର ଜାନକୀନାଥ ମିଶ୍ରଙ୍କ ବିରୋଧରେ 2ଟି ଦୁର୍ନୀତି ମାମଲା ରହିଥିବା ବେଳେ, ୯ଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ କରାଯାଇଛି । ଦୁର୍ନୀତିଗ୍ରସ୍ତ ହେବା ସହିତ କାର୍ଯ୍ୟକ୍ଷେତ୍ରରେ ତାଙ୍କର ଅପାରଗତା ପ୍ରମାଣିତ ହୋଇଛି । ଏଥିପାଇଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ଗଜପତି ଜିଲ୍ଲାର ନୂଆଗଡ଼ ତହସିଲଦାର ଆକୁଳ ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଥିବା ବେଳେ ତାଙ୍କ ବିରୋଧରେ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗସ କରାଯାଇଛି । କାର୍ଯ୍ୟକ୍ଷେତ୍ରରେ ଅପାରଗତା ଥିବା ସହିତ ସେ ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗ ଥିଲା । ଏହି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଢେଙ୍କାନାଳର ଜିଲ୍ଲା ସବ ରେଜିଷ୍ଟ୍ରାର ଲଲାଟେନ୍ଦୁ ଶତପଥୀଙ୍କ ବିରୋଧରେ ୨ଟି ଦୁର୍ନୀତି ମାମଲା ରହିଛି । ତା' ସହିତ ୨ଟି ବିଭାଗୀୟ ପ୍ରୋସିଡିଙ୍ଗସ ମଧ୍ୟ ରହିଛି । ତାଙ୍କର ସାଧୁତା ସନ୍ଦେହଜନକ ରହିଥିଲା । କାର୍ଯ୍ୟକ୍ଷେତ୍ରରେ ତାଙ୍କର ଅପାରଗତା ପ୍ରତିପାଦିତ ହୋଇଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ନୂଆପଡ଼ାର ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ଡଃ ତ୍ରିଲୋଚନ ଧଳଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ନିକଟରେ ବହୁ ପରିମାଣରେ ହିସାବ ବହିର୍ଭୁତ ଟଙ୍କା ମିଳିଥିଲା । ସେଥିପାଇଁ ତାଙ୍କ ବିରୋଧରେ ଦୁର୍ନୀତି ମାମଲା କରାଯାଇଥିଲା । ଅସାଧୁତା ଓ ଅପାରଗତା କାରଣ ଯୋଗୁଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଉପରୋକ୍ତ ୪ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୨୨ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହାକୁ ଖିଲାପ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details