ଭୁବନେଶ୍ବର:ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-2020କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଠାଇଥିବା ଆପତ୍ତି ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଓଡ଼ିଶା ସରକାର । ଅଧ୍ୟାଦେଶରେ ଥିବା ବିଭିନ୍ନ ପ୍ରାବଧାନ ଉପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଆପତ୍ତିର ଜବାବ ରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । କୌଣସି ଆଇନର ଉଲ୍ଲଙ୍ଘନ କରାଯାଇନି ବୋଲି ସେ କେନ୍ଦ୍ରକୁ ଚିଠି ଲେଖି ଜଣାଇଛନ୍ତି ।
ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶ ଆମସାର ଆକ୍ଟ-1958 ଓ ଏଏଟି ଆକ୍ଟ - 1972ର ବିରୋଧାଚରଣ କରୁଥିବା ଦର୍ଶାଇ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଆପତ୍ତି ଉଠାଇଥିଲା । ଏହି ଅଧ୍ୟାଦେଶର ପ୍ରାବଧାନରେ 12ଟି ଐତିହ୍ୟ କୀର୍ତ୍ତିରାଜି ପ୍ରଭାବିତ ହେଉଛି ବୋଲି ଦର୍ଶାଇ ସଂସ୍କୃତି ବିଭାଗ ଆପତ୍ତି ଉଠାଇଥିଲା । ଏହାର ଜବାବ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ରଖିଛନ୍ତି ।
ସେ ସ୍ପଷ୍ଟୀକରଣରେ କହିଛନ୍ତି ଯେ, ଏହି ଅଧ୍ୟାଦେଶ ଦ୍ଵାରା ଏସବୁ ଐତିହ୍ୟ, କୀର୍ତ୍ତିରାଜି ଆଦୌ ପ୍ରଭାବିତ ହେବନାହିଁ । କୌଣସି ନିୟମ ଉଲ୍ଲଙ୍ଘନ କରାଯିବନି। କେବଳ ଶ୍ରୀ ଲିଙ୍ଗରାଜଙ୍କ ଦୈନନ୍ଦିନ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଓ ପରିଚାଳନା ପାଇଁ ଅଧ୍ୟାଦେଶ ଅଣାଯାଇଛି । ମନ୍ଦିର ପରିସରରେ ଓ ବାହାରେ ଦୋକାନ ଖୋଲିବା ନିଷ୍ପତ୍ତିକୁ ନେଇ ମନ୍ତ୍ରଣାଳୟ ଆପତ୍ତି ଉଠାଇଥିଲା ।
ରାଜ୍ୟ ସରକାର ସ୍ପଷ୍ଟୀକରଣରେ କହିଛି ଯେ, ‘କୌଣସି ନିୟମ ଖିଲାପ କରାଯାଉନି । ପୂଜା ସାମଗ୍ରୀ ବିକ୍ରି ପାଇଁ ମନ୍ଦିର ପରିସରରେ 8 ଟି ଦୋକାନ ଥିବାବେଳେ ବାହାରେ ପ୍ରାୟ 115ଟି ଦୋକାନ ଅଛି । ପୁରୀ ଶ୍ରୀମନ୍ଦିର ପରିସରରେ ବି ଏଭଳି ଦୋକାନ ରହିଛି ।’ ମନ୍ଦିରର ମରାମତି ପାଇଁ ମନ୍ଦିର କମିଟିକୁ କ୍ଷମତା ଦେବା ପ୍ରାବଧାନ ଉପରେ ବି ମନ୍ତ୍ରଣାଳୟ ଆପତ୍ତି ଉଠାଇଥିଲେ । ମୁଖ୍ୟ ସଚିବଙ୍କ ସ୍ପଷ୍ଟୀକରଣରେ କୁହାଯାଇଛି ଯେ, ପ୍ରାକୃତିକ ବିପର୍ଯ୍ୟୟରେ ଛୋଟମୋଟ କ୍ଷୟକ୍ଷତି ହେଲେ, ବିଶେଷଜ୍ଞଙ୍କ ସହ ଆଲୋଚନା କରି ଜରୁରୀକାଳୀନ ମରାମତି ପାଇଁ ବ୍ୟବସ୍ଥା କରାଯିବ । ଏଏସଆଇ ଓ ମନ୍ଦିର ପ୍ରଶାସନ ଚୁକ୍ତି ଅନୁଯାୟୀ ଭକ୍ତମାନେ ବିନା ମୂଲ୍ୟରେ ପ୍ରଭୁଙ୍କ ଦର୍ଶନ କରିବା ବ୍ୟବସ୍ଥା ରହିଛି । ଅଧ୍ୟାଦେଶରେ ସ୍ବତନ୍ତ୍ର ଦର୍ଶନ ଫି ବ୍ୟବସ୍ଥା ଏହାର ବିରୋଧାଚରଣ କରିବ ବୋଲି ମନ୍ତ୍ରଣାଳୟ ଆପତ୍ତି କରିଥିଲା ।
ପୂର୍ବରୁ କୌଣସି ଚୁକ୍ତିନାମାକୁ ଖିଲାପ କରାଯାଉନି । ଲୋକମାନେ ମାଗଣାରେ ଦର୍ଶନ ସୁବିଧା ପାଇବେ । କେବଳ ଭକ୍ତ ଚାହିଁଲେ ସ୍ବତନ୍ତ୍ର ପୂଜା, ସେବା, ନୀତି ଓ ଉତ୍ସବ ପାଇଁ ନିର୍ଦ୍ଧାରିତ ଫି’ ଦେବାକୁ ପଡ଼ିବ । ଏହାଦ୍ଵାରା ପୂର୍ବରୁ ଥିବା ମାଗଣା ଦର୍ଶନ ବ୍ୟବସ୍ଥା ଆଦୌ ପ୍ରଭାବିତ ହେବନାହିଁ ବୋଲି ରାଜ୍ୟ ନିଜର ସ୍ପଷ୍ଟୀକରଣ ରଖିଛନ୍ତି । କୌଣସି ଆଇନର ଉଲ୍ଲଙ୍ଘନ କରାଯାଇନି । କେବଳ ଶ୍ରୀଲିଙ୍ଗରାଜ ମନ୍ଦିରର ସୁପରିଚାଳନା ଉଦ୍ଦେଶ୍ୟରେ ଅଧ୍ୟାଦେଶ ଅଣାଯାଉଥିବା ଦର୍ଶାଇଛନ୍ତି । ଏହି ଅଧ୍ୟାଦେଶକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।
ଇଟିଭି ଭାରତ,ଭୁବନେଶ୍ବର