ଭୁବନେଶ୍ବର: ପୋଲିସ ହେବ ଚାଇଲ୍ଡ ଫ୍ରେଣ୍ଡଲି । ପ୍ରତିଷ୍ଠା ହେବ ଚାଇଲ୍ଡ ଫ୍ରେଣ୍ଡଲି ପୋଲିସ ଷ୍ଟେସନ । ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ (Child Friendly Police Station) ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଛନ୍ତି ଅନେକ ପିଲା । ଏହା ସହ ଅନେକ ପିଲା ପୋଲିସ ସହାୟତା ଆବଶ୍ୟକତା କରୁଛନ୍ତି । ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ବତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତା ରହିଛି । ଏହାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀଏହି ନିଷ୍ପତ୍ତି ନେଇଛନ୍ତି । ଏହିସବୁ ପୋଲିସ ଷ୍ଟେସନରେ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବ । ଏହିସବୁ ଥାନାରେ ସ୍ବତନ୍ତ୍ର ଲୋଗୋ ଓ ଫଳକ ରହିବ । ଏହା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ମଧ୍ୟ କରାଯିବ । ଏଥିରେ ବିଭିନ୍ନ ରୁଚି ସଂପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ ।