ଭୁବନେଶ୍ବର:କଟକରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବର୍ଷୀୟାନ ଓଡ଼ିଆ ଅଭିନେତା ମିହିର ଦାସ । ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତାଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ ନେତା ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।
ରାଜ୍ୟପାଳ ଗଣେଶୀଲାଲ ମଧ୍ୟ ଟ୍ବିଟ୍ କରି ମିହିର ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, "ଓଡ଼ିଆ ସିନେଜଗତର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କ ପରଲୋକରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଜଣାଉଛି । ସ୍ବର୍ଗତ ଦାସ ଜଣେ ଶୀର୍ଷ ସ୍ତରର କଳାକାର ଭାବେ ନିଜର ଅନନ୍ୟ ଅଭିନୟ କଳା ପାଇଁ ସବୁରି ହୃଦୟରେ ରହିବେ ।"
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି ଯେ, "ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡ଼ିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଅମର କରି ରଖିବ । ତାଙ୍କ ବିୟୋଗ ଓଡ଼ିଆ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।"
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍ ମିହିର ଦାସଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, "ଓଡ଼ିଶା ସିନେ ଜଗତର ସୁନାମଧନ୍ୟ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ଜଣେ କଳାକାର ଭାବରେ ନୁହେଁ ବରଂ ତାଙ୍କ ସହ ମୋର ସମ୍ପର୍କ ବଡ଼ ଭାଇ ଭଳି ଥିଲା । ସେ ଆମ ଗହଣରେ ଆଜି ନାହାନ୍ତି, ଏ ଖବରକୁ ମୁଁ ବିଶ୍ୱାସ କରିପାରୁନାହିଁ ।"