ଭୁବନେଶ୍ବର:ସଶକ୍ତ ହେବ ଓଡିଶା ଅଗ୍ନିଶମ ବାହିନୀ (Odisha fire service) । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ବିଶେଷ କରି ଅଗ୍ନି ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ଗଠନ ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ (Striking Fire Force ) । ୧୪୪ ସଦସ୍ୟ ବିଶିଷ୍ଟ ଏକ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ଏହି ଷ୍ଟ୍ରାଇକିଂ ଫାୟାର ଫୋର୍ସ ବିପର୍ଯ୍ୟୟ ବେଳେ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ ।
ଏହା ଗଠନ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା । ବିସ୍ତୃତ ଆଲୋଚନା କରାଯିବା ପରେ ପ୍ରସ୍ତାବଟି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି । ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍ରେ ଏହି ଫୋର୍ସର ୩ଟି ରେଞ୍ଜ ହେଡକ୍ବାର୍ଟର (Range Headquarter) ରହିବ । ପ୍ରତ୍ୟେକ ହେଡକ୍ବାର୍ଟର ପାଇଁ ୪୮ଟି ପଦବୀ ସୃଷ୍ଟି କରାଯିବ । ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ ।
ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର ଓ ଫାୟାରମ୍ୟାନ ଆଦି ପଦବୀ ରହିବ । ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ବା ଦୁର୍ଘଟଣା ସମୟରେ ଓଡିଶା ଅଗ୍ନିଶମ ସେବା ପ୍ରଥମ ଉତ୍ତରଦାତା (First Responder) ଭାବରେ କାର୍ଯ୍ୟ କରୁଛି । ଜନସାଧାରଣଙ୍କୁ ଠିକ୍ ସମୟରେ ସେବା ଯୋଗାଇ ଦେଉଛି ।