ଓଡିଶା

odisha

ETV Bharat / city

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋଜ ଦାସଙ୍କ ଶେଷକୃତ୍ୟ କରିବାକୁ ଓଡ଼ିଶା ସରକାରଙ୍କ ଅନୁରୋଧ - ରାଷ୍ଟ୍ରୀୟ ମର୍ଯ୍ୟାଦା

ରାଷ୍ଟ୍ରୀୟ ସମ୍ମାନ ସହ ସ୍ବର୍ଗତଃ ମନୋଜ ଦାସଙ୍କ ଶେଷକୃତ୍ୟ କରିବା ପାଇଁ ଓଡ଼ିଶା ସରକାରଙ୍କ ପଷରୁ ପଣ୍ଡିଚେରୀ ସରକାରଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସ୍ବର୍ଗତ ଦାସଙ୍କ ଶେଷକୃତ୍ୟରେ ଯୋଗ ଦେବେ । ଅଧିକ ପଢନ୍ତୁ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋଜ ଦାସଙ୍କ ଶେଷକୃତ୍ୟ
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋଜ ଦାସଙ୍କ ଶେଷକୃତ୍ୟ କରିବାକୁ ଓଡ଼ିଶା ସରକାରଙ୍କ ଅନୁରୋଧ

By

Published : Apr 27, 2021, 10:19 PM IST

Updated : Apr 28, 2021, 9:13 AM IST

ଭୁବନେଶ୍ବର: ଆଉ ନାହାନ୍ତି ଓଡିଆ କଥା ସାହିତ୍ୟର ବିଶ୍ବକର୍ମା ମନୋଜ ଦାସ । ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସ । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ହୋଇଛି ମନୋଜଙ୍କ ଦେହାନ୍ତ । ରାଷ୍ଟ୍ରୀୟ ସମ୍ମାନ ସହ ସ୍ବର୍ଗତଃ ମନୋଜ ଦାସଙ୍କ ଶେଷକୃତ୍ୟ କରିବା ପାଇଁ ଓଡ଼ିଶା ସରକାରଙ୍କ ପଷରୁ ପଣ୍ଡିଚେରୀ ସରକାରଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସ୍ବର୍ଗତ ଦାସଙ୍କ ଶେଷକୃତ୍ୟରେ ଯୋଗ ଦେବେ ।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋଜ ଦାସଙ୍କ ଶେଷକୃତ୍ୟ
ଯଶସ୍ବୀ ସାରସ୍ବତ ସାଧକ ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମନୋଜ ଦାସଙ୍କ ଅମଳିନ ପ୍ରତିଭା ସାହିତ୍ୟ ଓ ଦର୍ଶନ ଜଗତ ପାଇଁ ସବୁବେଳେ ଏକ ଆଲୋକ ସ୍ତମ୍ଭ ହେଇ ରହିଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ବିୟୋଗରେ ଉତ୍କଳ ଜନନୀ ତାର ଅନ୍ୟତମ ସୂଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି ।ବିଶିଷ୍ଟ ସାହିତ୍ୟିକ, ପଦ୍ମଶ୍ରୀ ତଥା ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଏହି ମହାନ ସାହିତ୍ୟିକଙ୍କ ବିୟୋଗ ସମଗ୍ର ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କରିଛନ୍ତି । ଏଥିସହ ମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।ବିଶିଷ୍ଟ ଶିକ୍ଷାବିତ ସାହିତ୍ଯିକ ଯଶସ୍ବୀ ଲେଖକ ପଦ୍ମଭୂଷଣ ମନୋଜ ଦାସଙ୍କ ନିଧନରେ ମୁଁ ବିଶେଷ ମର୍ମାହତ । ବାଲେଶ୍ବର ଜିଲ୍ଲାରେ ଜନ୍ମିତ ଭାରତମାତାର ଏହି ସୁଯୋଗ୍ୟ ସନ୍ତାନ ସମଗ୍ର ଦେଶ ପାଇଁ ଥିଲେ ପ୍ରତିଭାବନ୍ତ । ତାଙ୍କ ବିୟୋଗ ରାଷ୍ଟ୍ର ପାଇଁ ଏକ ଦାରୁଣ ଆଘାତ । ମୁଁ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ଓଡିଆ ଭାଷା,ସାହିତ୍ଯ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଜଣାଇଛନ୍ତି।ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ରାଜ୍ୟ ଜଳ ସମ୍ପଦ,ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମନ୍ତ୍ରୀ ଦାସ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ, ସ୍ବର୍ଗତ ଦାସ ଜଣେ ଉଚ୍ଚକୋଟୀର ଲେଖକ ଭାବେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିଲେ । ଏହି ଯଶସ୍ବୀ ଲେଖକ, ତାଙ୍କର ସାହିତ୍ୟ କୃତି ପାଇଁ ସମସ୍ତଙ୍କ ଠାରେ ଚିରକାଳ ସ୍ମରଣୀୟ ଓ ପ୍ରେରଣାଦାୟୀ ହୋଇ ରହିବ । ମନ୍ତୀ ଦାସ, ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।ଆର୍ନ୍ତଜାତିକ ଖ୍ୟାତି ସମ୍ପନ୍ନ ସାହିତ୍ୟିକ ପଦ୍ମବିଭୂଷଣ ମନୋଜ ଦାସଙ୍କ ପରଲୋକରେ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଏବଂ ସହରାଞ୍ଚଳ ବିକାଶ ପ୍ରତାପ ଜେନା ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଶୋକ ବାର୍ତ୍ତାରେ ମନ୍ତ୍ରୀ ଜେନା କହିଛନ୍ତି ଯେ ସ୍ବର୍ଗତ ଦାସ ଶ୍ରୀ ଅରବିନ୍ଦ ଆଶ୍ରମରେ ଜଣେ ସାଧକ ଭାବେ ଦୀର୍ଘବର୍ଷ ଧରି ଅବସ୍ଥାନ କରିବା ସହିତ ଆଧ୍ୟାତ୍ମିକତା ଏବଂ ଇଂରାଜୀ ଓ ଓଡିଆ ସାହିତ୍ୟରେ ତାଙ୍କର ସାଧନା ଜାରି ରଖିଥିଲେ । ଓଡିଆ ସାହିତ୍ୟକୁ ତାଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିଛି ଓ ରହିଥିବ ମଧ୍ୟ । ସେ ବହୁ ପତ୍ର ପତ୍ରିକା ସହ ଜଡିତ ଥିଲେ । ତାଙ୍କ ସମ୍ପାଦନାରେ ହେରିଟେଜ ନାମକ ଏକ ଉଚ୍ଚକୋଟୀର ଇଂରାଜୀ ପତ୍ରିକା ପ୍ରକାଶ ପାଉଥିଲା ।


ତାଙ୍କର କାଳଜୟୀ ଲେଖା ପାଇଁ ୨୦୦୦ ମସିହାରେ ସରସ୍ୱତୀ ସମ୍ମାନ ପାଇଥିବାବେଳେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମବିଭୂଷଣ ଉପାଧି ପାଇଥିଲେ । ଏଥି ସହିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଦେଶ ବିଦେଶରୁ ବହୁ ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା । ଦେଶର ବିଭିନ୍ନ ଅଞ୍ଚଳରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସ୍ଥାପନ କ୍ଷେତ୍ରରେ ତାଙ୍କର ଅନବଦ୍ୟ ଅବଦାନ ରହିଥିଲା । ତାଙ୍କ ଆବର୍ତ୍ତମାନରେ କେବଳ ଓଡିଶାର କାହିଁକି ଭାରତର ସାହିତ୍ୟ,ସଂସ୍କୃତି ଓ ଆଧ୍ୟାତ୍ମ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟିହୋଇଛି । ଅମର ଆତ୍ମାର ସଦଗତି କାମନା କରିବା ସହିତ ମନ୍ତ୍ରୀ ଜେନା ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ବିଶିଷ୍ଟ ସାହିତ୍ୟିକ, କଥାକାର ପଦ୍ମଭୂଷଣ ପ୍ରଫେସର ମନୋଜ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ପୁଡୁଚେରୀ ଉପରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ସାରସ୍ବତ ସାଧକ ସ୍ଵର୍ଗତ ଦାସଙ୍କ ମରଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ର ନିଜ ଟ୍ବିଟରେ ଲେଖିଛନ୍ତି, ବିଶିଷ୍ଟ ସାହିତ୍ୟିକ, କଥାକାର ପଦ୍ମଭୂଷଣ ପ୍ରଫେସର ମନୋଜ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖୁତ ଓ ମର୍ମାହତ । ଓଡ଼ିଆ ଭାଷା, ଭାରତୀୟ ଓ ବିଦେଶୀ ଭାଷାରେ ତାଙ୍କର କାଳଜୟୀ ସୃଷ୍ଟି ପାଇଁ ସେ ଅନେକ ସମ୍ମାନର ଅଧିକାରୀ । ସାରସ୍ବତ ସାଧକ ଦାସଙ୍କ ବିୟୋଗରେ ଓଡ଼ିଶା ତଥା ଭାରତ ସାହିତ୍ୟ ଜଗତରେ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହୋଇଛି । ତାଙ୍କ ପରିବାର ସଦସ୍ୟା ଡା. ରଞ୍ଜିତା ଦାସଙ୍କ ସହ ଫୋନରେ କଥା ହୋଇ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଧର୍ମେନ୍ଦ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ତପନ ଦାସ ଇଟିଭି ଭାରତ

Last Updated : Apr 28, 2021, 9:13 AM IST

ABOUT THE AUTHOR

...view details