ଭୁବନେଶ୍ବର:ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ନେଇ ଛାନଭିନ ଆରମ୍ଭ କଲା କ୍ରାଇମବାଞ୍ଚ ଟିମ । ଏନେଇ ଶୁକ୍ରବାର ଆଦିତ୍ୟଙ୍କ ଘରେ ପହଞ୍ଚି କ୍ରାଇମବାଞ୍ଚ ଟିମ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଓ ପରିବାର ଲୋକଙ୍କୁ ଜେରା କରିଛି ।
ଆଦିତ୍ଯ ରହୁଥିବା ସୁନ୍ଦରପଦାର ଏକାମ୍ର ବିହାର ପ୍ଲଟ ନମ୍ବର ୧୭୩/୧୧୬୫ ରେ ପହଞ୍ଚି ତନାଘନା କରିଛି କ୍ରାଇମବ୍ରାଞ୍ଚ । ତେବେ ପୁର୍ବରୁ ମଧ୍ଯ ସମାନ ଢଙ୍ଗରେ ଜିଆରପି ପୋଲିସ ବିଦ୍ଯାଶ୍ରୀଙ୍କ ସମେତ ଅଦିତ୍ୟଙ୍କ ବାପା ଓ ମାଙ୍କୁ ପଚରାଉଚରା କରିଥିଲା।
ଏବେ କ୍ରାଇମବାଞ୍ଚ ହାତକୁ ତଦନ୍ତ ଭାର ଯିବା ପରେ ଏହାର ଖୋଲତାଡ ପୁଣି ଚାଲିଛି । ରହସ୍ୟ ଘେରରେ ରହିଥିବା ଏହି ମାମଲାର ସତ୍ୟତାକୁ ଜାଣିବାକୁ ସମସ୍ତେ ଅପେକ୍ଷା କରିଛନ୍ତି ।
ପ୍ରକାଶ ଯେ, ଜୁଲାଇ ୭ ତାରିଖରେ ସମାଜ ସେବୀ ଆଦିତ୍ଯଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ କଡରୁ ମିଳିଥିଲା ଏନେଇ ଜିଆରପି ପରେ କ୍ରାଇମବ୍ରାଞ୍ଚ ଏବେ ତଦନ୍ତ କରୁଛି । ଗୁରୁବାର ଆଦିତ୍ଯଙ୍କ ସାଙ୍ଗ ପପୁ, ବିକାଶ ଓ ପ୍ରିତମଙ୍କୁ ମଧ୍ଯ ପଚରାଉଚୁରା କରିଥିଲା ଟିମ। ତେବେ ଦେଖିବାର କଥା ଏହି ତଦନ୍ତରେ ଆଗକୁ କେଉଁ ମୋଡ ନେଉଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ