ଭୁବନେଶ୍ବର: ମହାମାରୀ କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ରାଜ୍ଯବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ନେବାସହ ଯାହା ଆବଶ୍ୟକ ତାହା କାର୍ଯ୍ୟକାରୀ କରାଯାଉଛି । ମହାମାରୀ କୋରୋନା ବିରୋଧରେ ଲଢେଇ ପାଇଁ ସାରା ଦେଶ ଲକଡାଉନ ପାଳନ କରୁଛି । ତେଣୁ ରାଜ୍ୟବାସୀ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।
ଲକଡାଉନ ଉପରେ ଆଜି କୋଭିଡ-19 ମୁକାବିଲା କମିଟିର ମୁଖ୍ୟ ତଥା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଲକଡାଉନ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶପଥ କରାଇଥିଲେ । ଶପଥ ସମୟର ଫଟୋ ଭିଡିଓ ପଠାଇବା ପାଇଁ କୁହାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି ଲକ୍ଷଲକ୍ଷ ସଂଖ୍ୟାରେ ଲୋକେ ଶପଥ ଗ୍ରହଣ କରି ଭିଡିଓ ପଠାଇଛନ୍ତି । ଗୁରୁବାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟ ବାହାରେ ଥିବା ଓଡିଆଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ବଡ ପଦକ୍ଷେପ ନିଆଯାଇଛି । କାରଣ ଦେଶ ଲକଡାଉନ ହେବାଫଳରେ ଅନେକ ଓଡିଆ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଏବେ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି୍ ଓଡିଆ ଲୋକଙ୍କ ରହିବା ଓ ଖାଇବା ବନ୍ଦୋବସ୍ତ କରିବାକୁ ନିବେଦନ କରିଛନ୍ତି । ଏଥିସହ ଓଡିଶାରେ ଯେକୌଣସି ପ୍ରଦେଶର ଲୋକ ଥିଲେ ତାଙ୍କୁ ଜଣାଇବାକୁ କହିଛନ୍ତି ।
ସେମାନଙ୍କର ସମସ୍ତ ସୁବିଧା ସୁଯୋଗ ବିନା ସର୍ତ୍ତରେ ରାଜ୍ୟ ସରକାର କରିବେ ବୋଲି କହିଛନ୍ତି । ପ୍ରବାସୀ ଓଡିଆଙ୍କ ସହାୟତା ପାଇଁ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ସରକାର ଜାରି କରିଛନ୍ତି । ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦେକ୍ଷେପ ଗୁରୁବାର ସରକାର ନେଇଛନ୍ତି ତାହା ହେଉଛି କୋରୋନା ମୁକାବିଲା ନେଇ ଗୃହ ବିଭାଗରେ ନିୟନ୍ତ୍ରଣ କକ୍ଷ ଆରମ୍ଭ ହୋଇଛି । ଯାହାର ନମ୍ବର ରହିଛି ୦୬୭୪-୨୩୯୨୧୧୫, ୯୪୩୮୯୯୫୯୮୬ ଯୋଗାଯୋଗ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।