ଭୁବନେଶ୍ବର: ନୂଆବର୍ଷରେ ମନ୍ତ୍ରୀମଣ୍ଡଳ ସାଙ୍ଗକୁ ପ୍ରଶାସନିକ ସ୍ତରରେ ହେବ ବ୍ୟାପକ ପରିବର୍ତ୍ତନ । ନବୀନଙ୍କ ପଞ୍ଚମ ପାଳିରେ ପ୍ରଥମ ଥର ପାଇଁ ସମ୍ପ୍ରସାରଣ ହେବ ମନ୍ତ୍ରୀମଣ୍ଡଳ । ନିଯୁକ୍ତ ହେବେ ନୂଆ ମୁଖ୍ୟ ଶାସନ ସଚିବ । କିଏ ବାଦ ପଡିବେ ଆଉ କିଏ ଏଣ୍ଟ୍ରି ମାରିବେ ? ଏନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା ।
ଅନେକ ମନ୍ତ୍ରୀଙ୍କ ପାଇଁ ବଦନାମ ହେଲେଣି ସରକାର । ଅନେକଙ୍କର ପରଫମାନ୍ସ ମଧ୍ୟ ଭଲ ନାହିଁ । ଅନ୍ୟପଟେ ଆଉ କିଛି ଆନୁଗତ୍ୟଙ୍କୁ ଦଳ ମନ୍ତ୍ରୀପଦ ଦେଇ ସନ୍ତୁଷ୍ଟ କରିବାକୁ ଚାହିଁବ । ଏଭଳି ସମୟରେ ମନ୍ତ୍ରୀଙ୍କ ଛାତିରେ ପଶିଛି ଛନକା । ତେବେ ବାଦ ତାଲିକାରେ ସବୁଠୁ ଆଗରେ ରହିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ବର୍ଷ ଶେଷ ଭାଗକୁ ‘ପରୀ’ ବିବାଦ ପାଇଁ ସରକାରର ଇମେଜ୍ ଡ୍ୟାମେଜ୍ ହୋଇଛି । ବିରୋଧୀ ଦୀର୍ଘ ଦିନ ଧରି ଜିଦରେ ଅଟଳ । ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କାହିଁ କେତେ ବିକ୍ଷୋଭ, ପ୍ରଦର୍ଶନ । ଯାହାକୁ ନେଇ ମୁଖିଆ ଅସନ୍ତୋଷ ଜାହିର କରିଛନ୍ତି । ତେଣୁ ନବୀନଙ୍କ ଟିମରୁ ସେ ହଟିବା ଏକପ୍ରକାର ନିଶ୍ଚିତ । ସେହିଭଳି କୋଭିଡ ପରିଚାଳନରେ ତୃଟି ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ବି ଖଣ୍ଡା ଝୁଲୁଛି । ଅନ୍ୟଜଣେ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ରତ୍ନ ପଥର ରାକେଟ ପ୍ରସଙ୍ଗରେ ବିବାଦରେ ଥିବାରୁ ତାଙ୍କୁ ବି ବାଦ ଦେଇପାରନ୍ତି ମୁଖିଆ ।
ଏମାନଙ୍କ ବ୍ୟତୀତ ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ଜ୍ୟୋତି ପାଣିଗ୍ରାହୀ, ତୁଷାରକାନ୍ତି ବେହେରା ମଧ୍ୟ ବାଦ ପଡିବା ଲିଷ୍ଟରେ ରହିଛନ୍ତି । ତେବେ ସବୁ କିଛି ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି । ଏହାରି ଭିତରେ ମୁଖିଆଙ୍କ ନଜରକୁ ଆସିବା ପାଇଁ କିଛି ମନ୍ତ୍ରୀ ସକ୍ରିୟ ହୋଇ ବିଭାଗ କାମ ସହ ନିର୍ବାଚନ ମଣ୍ଡଳୀ କଥା ବୁଝିବାକୁ ସକ୍ରିୟ ହୋଇଛନ୍ତି । ସେପଟେ ଆଶାୟୀଙ୍କ ତାଲିକା ବି ବେଶ ଲମ୍ବା । ଗଞ୍ଜାମ ଜିଲ୍ଲାରୁ ଜଣଙ୍କୁ କ୍ୟାବିନେଟରେ ନେଇପାରନ୍ତି ନବୀନ । ଏହି କ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଗରେ ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାକୁ ଏଥର ବି ଗୁରୁତ୍ବ ମିଳିପାରେ । ଉଭୟ ଅତନୁ ସବ୍ୟସାଚୀ ଓ ପ୍ରତାପ ଦେବ ଦୌଡ଼ରେ ରହିଛନ୍ତି । ପ୍ରଥମ ପାଳିରେ ଉଭୟ ନିରାଶ ହୋଇଥିଲେ। ଦ୍ବିତୀୟ ପାଳିରେ ଏମାନଙ୍କ ମଧ୍ୟରୁ ଜଣଙ୍କୁ କିମ୍ବା ଆବଶ୍ୟକ ହେଲେ ଦୁଇ ଜଣଙ୍କୁ ଟିମରେ ରଖିପାରନ୍ତି ମୁଖିଆ । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ଆଉ କିଛି ନେତା ଲବି ଆରମ୍ଭ କରି ଦେଇଛନ୍ତି। ତେବେ ଚୂଡାନ୍ତ ରୂପରେଖ କଣ ରହୁଛି ତାକୁ ଅପେକ୍ଷା ।