ଭୁବନେଶ୍ବର: ସୁନ୍ଦରଗଡ ସଦର ବ୍ଲକରେ ନିର୍ମାଣ ହେବ ଦୁଇଟି ବ୍ୟାରେଜ ପ୍ରକଳ୍ପ । ଇବ ନଦୀ ଉପରେ କୋପସିଙ୍ଗା ଓ କୁଡାବଙ୍ଗାରେ ନିର୍ମାଣ ହେବ ଏହି ବ୍ୟାରେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ସୋମବାର) ଏହି ଦୁଇଟି ବ୍ୟାରେଜ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ ଏହି ବ୍ୟାରେଜ । ଦୁଇଟି ପ୍ରକଳ୍ପ କାର୍ଯ୍ୟ ଆଗାମୀ ୨ ବର୍ଷରେ ଶେଷ ହେବ । ଏହାଦ୍ବାରା ସୁନ୍ଦରଗଡ ମ୍ୟୁନିସପାଲଟି, ସୁନ୍ଦରଗଡ ସଦର ବ୍ଲକ୍, ଲେଫ୍ରିପଡା, ବାଲିଶଙ୍କରା ଓ ଟାଙ୍ଗରପାଲି ଆଦି ବ୍ଲକର ୪୭ ହଜାର ଲୋକ ଉପକାର ପାଇବେ । ଏହା ସହ ୪୮୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ ।
ଉପରୋକ୍ତ ବ୍ଲକଗୁଡିକରେ ଘରେ ଘରେ ପାନୀୟ ଜଳଯୋଗାଣ ସୁବିଧା ହୋଇପାରିବ । ମତ୍ସ୍ୟଜୀବୀମାନେ ଏହି ବ୍ୟାରେଜରେ ମାଛ ଚାଷ କରି ଜୀବିକା ଉପର୍ଜନ କରିପାରିବେ । ଏହି ଦୁଇଟି ବ୍ୟାରେଜ ଉପରେ ବ୍ରିଜ କରାଯାଉଥିବାରୁ ଲେଫ୍ରିପଡା ଓ ଟାଙ୍ଗରପଲ୍ଲୀ ବ୍ଲକର ଲୋକମାନେ ରାଉରକେଲା ସହିତ ସିଧାସଳଖ ଯୋଗାଯୋଗ ସୁବିଧା ପାଇବେ । କାର୍ଯ୍ୟକ୍ରମରେ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ନାୟକ ଯୋଗ ଦେଇଥିଲେ ।