ଓଡିଶା

odisha

ETV Bharat / city

ଖଣିଜ ପାଣ୍ଠି ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ହେବ ଖର୍ଚ୍ଚ: ମୁଖ୍ୟମନ୍ତ୍ରୀ - Odisha CM Naveen Patnaik launch Baitarani Hydro Power

ଆନନ୍ଦପୁରର ସିଂହନାଳୀରେ ୨୪ ମେଗାୱାଟ ବିଶିଷ୍ଟ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟ ଅର୍ଥନୀତିରେ କେନ୍ଦୁଝରର ଯୋଗଦାନ ଓ ଏଠାକାର ଉନ୍ନତିକରଣ ନେଇ କହିଛନ୍ତି । ଅଧିକ ପଢନ୍ତୁ..

ଖଣିଜ ପାଣ୍ଠିର ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ହେବ  ଖର୍ଚ୍ଚ :  ମୁଖ୍ୟମନ୍ତ୍ରୀ
ଖଣିଜ ପାଣ୍ଠିର ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ହେବ ଖର୍ଚ୍ଚ : ମୁଖ୍ୟମନ୍ତ୍ରୀ

By

Published : Nov 7, 2020, 8:03 PM IST

ଭୁବେନଶ୍ବର: ଖଣିଜ ପାଣ୍ଠିର ଟଙ୍କା ହେଉଛି ଲୋକଙ୍କ ଟଙ୍କା । ଏହାର ସବୁ ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ । ଶନିବାର ଭିଡିଓ କନ୍‌ଫରେନସିଂ ଜରିଆରେ ଆନନ୍ଦପୁରର ସିଂହନାଳୀରେ ୨୪ ମେଗାୱାଟ ବିଶିଷ୍ଟ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝରର ଉଭୟ ଦେଶ ଓ ରାଜ୍ୟ ଅର୍ଥନୀତିରେ ବିଶେଷ ଅବଦାନ ରହିଛି । କେନ୍ଦୁଝରରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଜିଲ୍ଲାର ସବୁ ରାସ୍ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ମେଗା ପିଇବା ପାଣି ପ୍ରକଳ୍ପରେ ଜିଲ୍ଲାର ସବୁ ଘର ଗାଁ ଓ ସହର ସବୁ ଅଞ୍ଚଳରେ ପାଇପ ପାଣି ଯୋଗାଇ ଦେବା ପାଇଁ କାମ ଚାଲିଛି ।


ସେହିପରି ଲୋଅର ବୈତରଣୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ହେଉଛି ସବୁଜ ଓ ପୁନଃ ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ । ଏହା ପରିବେଶ ଅନୁକୂଳ ଏବଂ ଏହି ପ୍ରକଳ୍ପରେ କେହି ଜଣେ ବି ବିସ୍ଥାପିତ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି ଏବଂ ଏହିଭଳି ଅନେକ ଛୋଟ ଛୋଟ ଶକ୍ତି ପ୍ରକଳ୍ପ ଦ୍ବାରା ଓଡିଶା ପରିବେଶ ପରିବର୍ତ୍ତନ ଆହ୍ବାନକୁ ଠିକ୍‌ ଭାବରେ ମୁକାବିଲା କରିପାରିବ। ବୈତରଣୀ ନଦୀ ଉପରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦସ୍ଥିତ ବୈତରଣୀ ପାୱାର ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଦ୍ବାରା ସ୍ଥାପନ କରାଯାଇଛି। ଏଥିରୁ ରାଜ୍ୟ ଗ୍ରୀଡ ବର୍ଷକୁ ୧୦୦ ମିଲିଅନ ୟୁନିଟ ବିଜୁଳି ପାଇପାରିବ। ଏହାଦ୍ବାରା ଆନନ୍ଦପୁର ଅଞ୍ଚଳର ଲୋକମାନେ ଉନ୍ନତମାନର ବିଜୁଳି ସୁବିଧା ପାଇପାରିବେ।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି କି, ଏହି ପ୍ରକଳ୍ପ ଦ୍ବାରା ଅକ୍ଷୟ ଶକ୍ତି କ୍ଷେତ୍ରରେ ରାଜ୍ୟର କ୍ଷମତା ବଢିଛି। ଏହାଦ୍ବାରା କେନ୍ଦୁଝର ଓ ସାରା ଓଡିଶାବାସୀ ଉପକୃତ ହେବେ । ଭବାନୀପାଟଣାରେ ଉପସ୍ଥିତ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ସଠିକ ସମୟରେ ଗ୍ରୀଡକୁ ଶକ୍ତି ଯୋଗାଇବାରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ପ୍ରକଳ୍ପ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବଳିଷ୍ଠ ନେତୃତ୍ବକୁ ପ୍ରଶଂସା କରିଛନ୍ତି ।

ତେବେ ଏହି ସମୟରେ କେନ୍ଦୁଝରରେ ଉପସ୍ଥିତ କେନ୍ଦୁଝର ସାଂସଦ, ଘାସିପୁରା ବିଧାୟକ ଏବଂ ଆନନ୍ଦପୁର ବିଧାୟକ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଲୋଅର ବୈତରଣୀ ପାୱାର ପ୍ରକଳ୍ପର ପରିଚାଳନା ନିର୍ଦ୍ଦେଶକ ପ୍ରକଳ୍ପ ସମ୍ବନ୍ଧରେ ଆଲୋକପାତ କରିଛନ୍ତି ।

ଏହି ଅବସରରେ କାର୍ଯ୍ୟକ୍ରମ ସଂପର୍କରେ ଏକ ଭିଡିଓ ପ୍ରଦର୍ଶିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ କେନ୍ଦୁଝର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details