ଭୁବନେଶ୍ବର: ଉଦଘାଟନ ହେଲା ରାଜ୍ୟରେ 14 ସାଇବର ଓ ଅର୍ଥନୈତିକ ଅପରାଧ ଥାନା (14th Cyber And Economic Offence police Station Inaugurated In Odisha) । ଏହା ସହ ଅନ୍ୟ 3ଟି upgraded ଥାନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ନୂଆ ଥାନାର ଉଦଘାଟନ କରିଛନ୍ତି ।
ଜନସାଧାରଣଙ୍କୁ ସାଇବର ଅପରାଧରୁ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, 'ଦିନକୁ ଦିନ ସାଇବର ଅପରାଧ ବଢ଼ିବା ସହ ସମାଜରେ ପ୍ରମୁଖ ଅପରାଧ ପାଲଟିଛି । ଏହା ଉପରେ ରୋକ ଲଗାଇବା ସହ ଲୋକଙ୍କ ଜୀବନ, ସ୍ୱାଧୀନତା ଓ ସମ୍ପତ୍ତିକୁ ସାଇବର ଅପରାଧୀଙ୍କ ଠାରୁ ରକ୍ଷା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଅତ୍ୟାଧୁନିକ ପୋଲିସ ବ୍ୟବସ୍ଥା ସହ ପ୍ରଶିକ୍ଷିତ ପୋଲିସ ଅଧିକାରୀଙ୍କୁ ପ୍ରସ୍ତୁତ କରାଯାଉଛି । ସାଇବର ଅପରାଧ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ହେଉ ଥିବାବେଳେ, ଏହା କୌଣସି ନିର୍ଦ୍ଦିଷ୍ଟ ସୀମା ରେଖା ନାହିଁ । ସାଇବର ଅପରାଧୀ ବିଦେଶରେ ବସି ଲୁଟ୍ ବେଳେ ବାରମ୍ବାର ସର୍ଭରରେ ସ୍ଥାନ ବଦଳାଉଛନ୍ତି । ତାଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିବା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆର୍ଥିକ ଅପରାଧ ଏବେ ବ୍ଲୁ କଲର କ୍ରାଇମ ପାଲଟିଛି । ଯାହାକି ଖାଲି ବ୍ୟକ୍ତିକୁ ଆଘାତ ଦିଏନି ବରଂ ଦେଶର ଆର୍ଥିକ ସ୍ୱାସ୍ଥ୍ୟକୁ ଖରାପ କରି ଦିଏ ।'
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଉଦଘାଟିତ ପୋଲିସ ଥାନାରେ ତାମିଲପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସହ ଟେକ୍ନିକାଲ ସାଇବର ଏକ୍ସପର୍ଟ ରହିବେ । ଆର୍ଥିକ ଓ ସାଇବର ଅପରାଧର ତଦନ୍ତ ପାଇଁ ସେମାନଙ୍କୁ ଉନ୍ନତମାନର ହାର୍ଡୱେୟାର ଏବଂ ସଫ୍ଟୱେୟାର ଯୋଗାଇ ଦିଆଯିବ । ଏହା ସହ ମୁଖ୍ୟମନ୍ତ୍ରୀ 3 ଟି ସାଧାରଣ ଥାନାର ଉଦଘାଟନ କରିଛନ୍ତି ।