ଭୁବନେଶ୍ବର: ଓଡିଶାରେ ଗଚ୍ଛିତ ଅମାପ କ୍ରୋମିୟମ ବିଶ୍ବ ଚାହିଦାକୁ ପୂରଣ କରିବାରେ ବଡ ଭୂମିକା ଗ୍ରହଣ କରିବ । ଏନେଇ ନୂଆଦିଲ୍ଲୀରେ ଆୟୋଜିତ କ୍ରୋମିୟମ ୨୦୧୯ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ କହିବା ଅନୁସାରେ, ଓଡିଶାରେ ୯୫ ପ୍ରତିଶତରୁ ଉର୍ଦ୍ଧ୍ବ କ୍ରୋମ ଗଚ୍ଛିତ ଅଛି । ଯାହା ଅଧିକ ଗୁଣବତା ବା ଉଚ୍ଚ ମୂଲ୍ୟଯୁକ୍ତ ବିଶିଷ୍ଟ । ଦେଶରେ କ୍ରୋମିୟମ କ୍ଷେତ୍ରରେ ଓଡିଶା ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ବେଳେ ଓଡିଶା ଅଧିକରୁ ଅଧିକ ଘରୋଇ ନିଯୁକ୍ତି ସୃଷ୍ଟି କରିବାର ମଧ୍ୟ କ୍ଷମତା ରଖିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ଆମେରିକୀୟ ଡଲାର ୫ ଟ୍ରିଲିୟନ ଅର୍ଥନୀତିକୁ ହାସଲ କରିବାର ଲକ୍ଷ୍ୟ ରଖିଛି ।
ତେଣୁ ଦେଶରେ ଉଭୟ ବ୍ୟବସାୟିକ ଓ ଜନସାଧାରଣଙ୍କ ଜୀବନଶୈଳୀ ଉପରେ ଅଧିକ ଜୋର ଦିଆଯାଇଛି । ପୁଞ୍ଜିନିବେଶ କରିବା ପାଇଁ ଭାରତ ଏକ ଉକ୍ରୃଷ୍ଟ ସ୍ଥାନ । ଭାରତ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଉଦ୍ୟମ କରୁଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।