ଭୁବନେଶ୍ବର:ପରିବର୍ତ୍ତିତ କୋଭିଡ୍ ସ୍ଥିତିରେ ସୂଚନା ଓ ସଚେତନତା ଅଭିଯାନକୁ ଅଧିକ ପ୍ରତିଷେଧାତ୍ମକ ଏବଂ ସେବାଭିତ୍ତିକ କର । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ବର୍ତ୍ତମାନ ରାଜ୍ୟରେ ଚାଲିଥିବା କୋଭିଡ୍ ବିରୋଧି ସଚେତନତା ଅଭିଯାନର ସମୀକ୍ଷା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରୁ ଭିସିରେ ଅନୁଷ୍ଠିତ ଏହି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କୋଭିଡ୍ ସଚେତନତା ଅଭିଯାନ ସମ୍ବନ୍ଧୀତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଛନ୍ତି ।
କୋଭିଡ୍ ସୂଚନା, ସଚେତନତା ଅଭିଯାନକୁ ଅଧିକ ପ୍ରତିଷେଧାତ୍ମକ ଓ ସେବାଭିତ୍ତିକ କର: ମୁଖ୍ୟ ଶାସନ ସଚିବ ଏହାମଧ୍ୟ ପଢନ୍ତୁ: Covid Scare: 3 ଦିନ ପାଇଁ ଲୋକାୟୁକ୍ତ କାର୍ଯ୍ୟାଳୟ ବନ୍ଦ
ବିଭିନ୍ନ ସ୍ତରରେ କରାଯାଉଥିବା ସଚେତନତା ଅଭିଯାନର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ପ୍ରତିଷେଧାତ୍ମକ ଏବଂ ସେବା ଉପଲବ୍ଧି ସମ୍ବନ୍ଧିତ ସୂଚନା ପ୍ରସାରଣ କୋଭିଡ୍ ପରିଚାଳନା ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ । ଅଧିକ ସଂଖ୍ୟକ କୋଭିଡ୍ ସଂକ୍ରମିତ ବ୍ୟକ୍ତି ଘରୋଇ ପୃଥକବାସରେ ରହି ଚିକିତ୍ସିତ ହେଉଥିବାରୁ ସେମାନଙ୍କ ପାଇଁ ସେବା ସମ୍ବନ୍ଧିତ ସୂଚନା ବିଶେଷ ସହାୟକ ହେବ । ପୃଥକବାସର ବ୍ୟବହାରିକ ଢ଼ଙ୍ଗି, ଦୈନିକ ଯତ୍ନ, ଅମ୍ଳଜାନ ସ୍ତର ଯାଞ୍ଚ୍, ବୟସ୍କ ବ୍ୟକ୍ତି ଓ ଗର୍ଭବତୀ ମହିଳା ମାନଙ୍କର ଯତ୍ନ, କେଉଁ ଟେଲିଫୋନ ନମ୍ବର ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ମିଳିପାରିବ । କେଉଁ ସବୁ ସତର୍କତା ଅବଲମ୍ବନ କରାଯିବା ଦରକାର । ଜରୁରୀକାଳିନ ସ୍ଥିତିରେ କାହା ସହିତ ଓ କେମିତି ଯୋଗାଯୋଗ କରିବେ । ଦରକାର ସମୟରେ କେମିତି ଆମ୍ବୁଲାନ୍ସ ସେବା ପାଇବେ ଓ ହସ୍ପିଟାଲ୍ ଯାଇପାରିବେ ଆଦି ସମସ୍ତ ବିଷୟ ସୂଚନା ଓ ସଚେତନତା ଅଭିଯାନରେ ସନ୍ନିବେଶିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରତି ଜିଲ୍ଲା ଏବଂ ସହରାଞ୍ଚଳର କୋଭିଡ୍ ନିୟନ୍ତ୍ରଣ କକ୍ଷ, ଟେଲି ମେଡିସିନ୍ ଏବଂ ତୁରନ୍ତ ସହାୟକ ଦଳ(ଆର୍.ଆର୍.ଟି)ମାନଙ୍କର ଟେଲିଫୋନ୍ ନମ୍ବର ମଧ୍ୟ ସୂଚନା ଓ ସଚେତନତା ବାର୍ତ୍ତାରେ ସନ୍ନିବେଶିତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ଆର୍.ଆର.ଟି ନିଜ ନିଜ ଦାୟିତ୍ବ ଥିବା ବିଭିନ୍ନ ଅଞ୍ଚଳର ରୋଗୀମାନଙ୍କୁ ସାମିଲ କରି ଏକାଧିକ ହ୍ବାଟ୍ସଆପ୍ ଗ୍ରୁପ୍ ଖୋଲିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହା ମାଧ୍ୟମରେ ଘରୋଇ ପୃଥକବାସରେ ଥିବା ସଂକ୍ରମିତ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟସ୍ଥିତି ଓ ଆବଶ୍ୟକତା ବିଷୟରେ ଆର୍.ଆର୍.ଟି ମାନେ ତୁରନ୍ତ ଜାଣିପାରିବେ । ଏହିସବୁ ସୂଚନା ଘରୋଇ ପୃଥକବାସରେ ଥିବା ଲୋକଙ୍କୁ ଅଧିକ ଆତ୍ମ ବିଶ୍ବାସ ଓ ଭରସା ଦେବ । ଯାହାକି ପ୍ରକାରାନ୍ତରେ ଶୀଘ୍ର ଆରୋଗ୍ୟ ଲାଭରେ ସହାୟକ ହେବ ବୋଲି ସେ କହିଛନ୍ତି ।
ବୈଠକରେ ଖବରକାଗଜ, ଟେଲିଭିଜନ୍, ସାମାଜିକ ଗଣମାଧ୍ୟମ ଆଦି ଜରିଆରେ କରାଯାଇଥିବା ବିଭିନ୍ନ ପ୍ରକାର ସଚେତନତା ଅଭିଯାନର ସମୀକ୍ଷା କରାଯାଇଛି । ବର୍ତ୍ତମାନ ପ୍ରାୟ ୧୨ ପ୍ରକାରର ସଚେତନତା ବାର୍ତ୍ତା, ୮ ପ୍ରକାରର ମେସେଜ୍, ବହୁବିଧ ଦୃଶ୍ୟ ଓ ଶ୍ରାବ୍ୟ ବାର୍ତ୍ତା, ପରାମର୍ଶ ଆଦି ଦିଆଯାଉଛି । ଜନସାଧାରଣଙ୍କୁ ମଧ୍ୟ SMS ମାଧ୍ୟମରେ ସୂଚନା ପଠାଯାଉଛି । ଏହା ଛଡ଼ା ଜିଲ୍ଲାସ୍ତରରେ ୫୫ଟି, ବ୍ଲକ୍ ସ୍ତରରେ ୭୦୬ଟି, ସହରାଞ୍ଚଳ ସ୍ତରରେ ୫୬ଟି ଏବଂ ପୌର ନିଗମ ସ୍ତରରେ ୬୫ଟି ଏପରି ସମୁଦାୟ ୮୬୫ଟି ଆର୍.ଆର୍.ଟି. ଦଳ ନିଜ ନିଜ ସ୍ତରରେ ଚିକିତ୍ସା ଓ ସଚେତନତା ସୂଚନା ଯୋଗାଇ ଦେଉଛନ୍ତି । ସୂଚନା ଓ ଲୋକସଂପର୍କ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ, ପରିବର୍ତ୍ତିତ ସ୍ଥିତିରେ ଲୋକମାନଙ୍କ ପାଇଁ ଅଧିକ ଉପଯୋଗୀ ଏବଂ ନିର୍ଭରଯୋଗ୍ୟ ସୂଚନା ଓ ସଚେତନତା ବାର୍ତ୍ତା ପ୍ରସାରଣ କରାଯିବ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନଙ୍କର ବୈଷୟିକ ସହାୟତା ସହ ଏହିସବୁ ବାର୍ତ୍ତାକୁ ଅଭିଯାନରେ ସାମିଲ୍ କରାଯିବ । ଏହି କାର୍ଯ୍ୟ ତୁରନ୍ତ ସମ୍ପାଦନ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତିଷ୍ଠାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସୂଚନା ଓ ଲୋକ ସଂପର୍କ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର, ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ