ଭୁବନେଶ୍ବର:କୋଭିଡର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାର ଜିଲ୍ଲାପାଳ, SP ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
covid third wave preparation: ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଲୋକସେବା ଭବନରୁ ଭିଡିଓ କନ୍ଫରେସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ବର୍ତ୍ତମାନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ଆରମ୍ଭ ହୋଇଛି । ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଜୀବିକା ନିର୍ବାହ ସହିତ ସଂପୃକ୍ତ ସମସ୍ତ ଅନୁଷ୍ଠାନ, ସଂସ୍ଥା ଏବଂ କାର୍ଯ୍ୟକ୍ରମଗୁଡ଼ିକ ପୁନଃ ଆରମ୍ଭ ହୋଇଛି । ତେଣୁ ଏହି ସମୟରେ ସମ୍ଭାବ୍ୟ ତୃତୀୟ ଲହରର ପ୍ରଭାବ ରୋକିବା ପାଇଁ ଅଧିକ ସତର୍କ, ସଜାଗ ଓ କ୍ରିୟାଶୀଳ ହେବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
ଏହା ବି ପଢ଼ନ୍ତୁOmicron Covid Guideline: ବିଦେଶରୁ ଫେରିଲେ ଓଡିଶାରେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ
BDO, ସରପଞ୍ଚ, ୱାର୍ଡମେମ୍ବର, ଅଙ୍ଗନାବାଡ଼ି କର୍ମୀ, ଗ୍ରାମ ଓ ପଞ୍ଚାୟତସ୍ତରୀୟ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ସବୁ ଅଞ୍ଚଳର ବାସ୍ତବ ସ୍ଥିତି ବିଷୟରେ ସଠିକ୍ ସୂଚନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କୌଣସି ସ୍ଥାନରେ କୋଭିଡ୍ ସଂକ୍ରମଣ, ଲକ୍ଷଣ ଜଣାପଡିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ଘରକୁ ଘର କୋଭିଡ୍ ଟିକାକରଣ ଅଭିଯାନ ମାଧ୍ୟମରେ ଅଧିକ ତ୍ୱରାନ୍ୱିତ କରିବାକୁ କୁହାଯାଇଛି ।
କୋଭିଡ୍ ପରିଚାଳନାରେ ଓଡ଼ିଶା ଆନ୍ତର୍ଜାତିକ ସ୍ୱୀକୃତି ପାଇଛି । କୋଭିଡ୍ ଟିକାକରଣରେ ସମଭାବେ ଆଗୁଆ ହୋଇ ଏହି ସୁନାମ ବଜାୟ ରଖିବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଟିକାକରଣର ଗ୍ରାମ୍ୟ ସ୍ତରୀୟ କାର୍ଯ୍ୟ ଯୋଜନାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟାନ୍ୱୟନ କରିବା ପାଇଁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି ।
କେତେକ ଦେଶରେ କୋଭିଡ୍ ଏକ ନୂଆ ମିଶ୍ରିତ ପ୍ରକାର ଦେଖାଇଛି । ଏହା ଅଧିକ ମିଶ୍ରିତ ଏବଂ ତୀବ୍ର ହେବାର ସମ୍ଭାବନା ରହିଛି । ତେଣୁ ୧୮ରୁ ଊର୍ଦ୍ଧ୍ଵ ସମସ୍ତ ନାଗରିକଙ୍କର ଶତ ପ୍ରତିଶତ ଟିକାକରଣ ଆମ ପାଇଁ ଏକ ବଡ଼ ପ୍ରତିରୋଧକ ହେବ । କୋଭିଡ୍ ପରୀକ୍ଷା କଲାବେଳେ ‘ଜେନୋମିକ୍ ସିକୁଏନ୍ସିଂ’ କରାଇବା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି ।
କୋଭିଡ୍ ନିରାକରଣ ପାଇଁ କୋଭିଡ ଗାଇଡଲାଇନ ପାଳନ ଉପରେ ଗୁରୁତ୍ବ ଦିଆଯାଇଛି । ନିୟମ ଭଙ୍ଗ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନଙ୍କ ବିରୁଦ୍ଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ରହିଛି ।
କୋଭିଡ୍-୧୯ ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅନୁକମ୍ପା ସହାୟତା ରାଶି ପ୍ରଦାନ ବାବଦରେ ବୈଠକର ଆଲୋଚନା ହୋଇଛି । ଏହି ପ୍ରକ୍ରିୟାକୁ ଜନସାଧାରଣଙ୍କ ପାଇଁ ଅଧିକ ସରଳ ଓ ସୁଗମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ଅଡିଟେଡ୍ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ପ୍ରକ୍ରିୟାଗତ ଆବଶ୍ୟକତା ପ୍ରତିବନ୍ଧକ ହେବା ଉଚିତ୍ ନୁହେଁ ବୋଲି ଉନ୍ନୟନ କମିଶନର କରିଛନ୍ତି ।
ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାର କୋଭିଡ୍ ସ୍ଥିତି, ପ୍ରତିରୋଧାତ୍ମକ କାର୍ଯ୍ୟଯୋଜନା ଏବଂ ଅନୁକଂପା ରାଶି ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଉପସ୍ଥାପନ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ