ଭୁବନେଶ୍ବର:ଭାଦ୍ରବରେ ଭାଇମାନଙ୍କ ପାଇଁ ଆରମ୍ଭ ହୋଇଯାଇଛି ଭାଲୁକୁଣି ଓଷା ବା ଖୁଦୁରୁକୁଣୀ ଓଷା । ବାର ମାସ ତେର ପର୍ବ ଭିତରେ ଏହି ଓଷା ଏକ ପାରମ୍ପରିକ ପର୍ବ । ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ହୋଇଥାଏ । ଆଜି(ରବିବାର) ଓଷାର ଦ୍ବିତୀୟ ପାଳି ।
ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି । ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ । ପ୍ରଥମ ପାଳି ପରେ ସାରା ରାଜ୍ୟରେ ଦ୍ବିତୀୟ ପାଳିରେ ଓଷା ପୂଜା କରିଛନ୍ତି ଝିଅମାନେ । ପ୍ରଥମ ପାଳିରେ ଯେପରି ଝିଆମାନେ ସକାଳୁ ଉଠି ଫୁଲ ତୋଳିବାକୁ ଯାଇଥାନ୍ତି । ଦ୍ବିତୀୟ ପାଳିରେ ମଧ୍ୟ ସମାନ ରୂପେ ଫୁଲ ତୋଳିଥାନ୍ତି । ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଏ । ଫୁଲର ତୋରଣରେ ମନ୍ଦିର ସଜାଯାଏ ।
ଏହି ଓଷାରେ ସିଂହବାହିନୀ ମା ମଙ୍ଗଳାଙ୍କୁ ଖୁଦଭଜା ଲାଗି ହୋଇଥାଏ । ଖୁଦଭଜା ଠାକୁରାଣୀଙ୍କର ସବୁଠୁ ପ୍ରିୟ ବୋଲି କିମ୍ବଦନ୍ତୀରେ ରହିଛି । ଖୁଦରୁ ଏହି ଓଷାର ନାମ ଖୁଦୁରୁକୁଣୀ ହୋଇଛି । ପ୍ରଥମ ପାଳିରେ ଖୁଦ ଭୋଗ ଲାଗିଥାଏ । ଦ୍ବିତୀୟ ପାଳିରେ ଅରୁଆ ଚାଉଳ ଭୋଗ ହୋଇଥାଏ । ଓଷାରେ ପୁର ପଲ୍ଲୀ ମହକି ଉଠିଥାଏ ।
ଓଷା ବିଷୟରେ...
ପୂର୍ବେ ଓଡିଆ ସାଧବ ପୁଅ ବାଣିଜ୍ୟ କରିବାକୁ ବିଦେଶକୁ ଯାଉଥିଲେ । ଦିନେ 7ସାଧବ ପୁଅ ମଧ୍ୟ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲେ । ଆଉ ଘରେ ଛାଡି ଯାଇଥିଲେ ତାଙ୍କର ଗେହ୍ଲା ଭଉଣୀ ତଅପୋଇକୁ । ଭାଇମାନେ ଥିବା ସମୟରେ ତଅପୋଇକୁ ଯେମିତି ଭଲପାଇବା ମିଳୁଥିଲା ସେମାନେ ଗଲା ପରେ ମଧ୍ୟ ତାକୁ ସେହି ଭଲପାଇବା ଦେଉଥିଲେ ଭାଉଜମାନେ । ହେଲେ ତାହା ଥିଲା କିଛି ଦିନ ପାଇଁ ।
ଭାଇଙ୍କ ବିଦେଶକୁ ଯିବାର କିଛି ଦିନ ପରେ ତଅପୋଇ ଖୁସିରେ ଯେମିତି ଗ୍ରହଣ ଲାଗିଗଲା । ରାଣ୍ଡି ବ୍ରାହ୍ମଣୀ ଆସି ଭାଉଜମାନଙ୍କୁ ଶିଖାଇବାରୁ ନଣନ୍ଦକୁ ସାନ ଭାଉଜ ଛଡା ଆଉ ସମସ୍ତ ଭାଉଜ ଗଞ୍ଜଣା ଦେଉଥିଲେ । ବଣରେ ଛେଳି ଜଗାଇବା ସହିତ ମୂଷା ମାଟି ମିଶାଇ ତଅପୋଇକୁ ଖାଇବାକୁ ଦେଉଥିଲେ । ପାଳି କରି ସାତ ଭାଉଜ ଖାଇବାକୁ ଦେଉଥିଲେ । ସାତ ଭାଉଜଙ୍କ ମଧ୍ୟରେ ସାନ ଭାଉଜ ନିଳେନ୍ଦ୍ରୀ ବଡ ଭାଉଜ ଡରରେ କିଛି କହି ପାରୁନଥିବା ସତ ହେଲେ ତା ପାଳି ଦିନ ସେ ତଅପୋଇକୁ ଭଲ କରି ଗଣ୍ଡେ ଖାଇବାକୁ ଦିଏ । ସେହି ଗୋଟିଏ ଦିନ ତଅପୋଇ ଶାନ୍ତିରେ ଖାଏ ।
ଅନେକ ଦିନ ହେବ ଭାଇମାନେ ବିଦେଶରୁ ନ ଫେରିବାରୁ ତଅପୋଇ ମନରେ ଭାଇମାନଙ୍କ ଫେରିବାକୁ ନେଇ ଅନେକ ଦୁଶ୍ଚିନ୍ତା ଆସିଲା । ଆଉ ଶେଷରେ ତଅପୋଇ ନଦୀ ବାଲିରେ ମାଟିରେ ମୂର୍ତ୍ତି ଗଢ଼ି ଭାଇମାନଙ୍କର ମଙ୍ଗଳମନାସୀ ଖୁଦୁରୁକୁଣୀ ଓଷା କରିଥିଲା । ପାଖରେ କିଛି ନଥିବାବେଳେ ସେ ଖୁଦକୁ ଭୋଗ ଆକାରରେ ଠାକୁରାଣୀଙ୍କ ପାଖରେ ଖୁଦ ଭୋଗ କରିଥିଲା । ସେଦିନ ଥିଲା ରବିବାର । ସେହି ଦିନଠୁ 5 ପାଳି ଓଷା କରିଥିଲା ତଅପୋଇ । ତା ଡାକ ଶୁଣି ମା ମଙ୍ଗଳା ଭାଇମାନଙ୍କୁ ଘରକୁ ଫେରାଇ ଆଣିଥିଲେ । ଆଉ ସେବେଠୁ ଭାଇ ମାନଙ୍କ ଦିର୍ଘାୟୁ ଓ ସଫଳତା ପାଇଁ ଭଉଣୀମାନେ ଖୁଦୁରୁକୁଣୀ ଓଷା କରିଆସୁଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ