ଭୁବନେଶ୍ବର: ବିଦେଶୀ କଂପାନୀଠୁ ଓଡ଼ିଶା ଟିକା କିଣିବ । ଏଥିପାଇଁ ଗ୍ଲୋବାଲ ଟେଣ୍ଡର କରାଯିବ । ରାଜ୍ୟ କ୍ୟାବିନେଟରେ ନିଆଗଲା ନିଷ୍ପତ୍ତି । ବିଶ୍ବର ବିଭିନ୍ନ କମ୍ପାନୀରୁ ଟିକା ସଂଗ୍ରହ ପାଇଁ ନିଆଯିବ ପଦକ୍ଷେପ । ସମସ୍ତ ଟିକାରୁ ଟିକସ ଉଠାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି । ଗ୍ଲୋବାଲ ଟେଣ୍ଡର ପାଇଁ ହେବ ବୈଷୟିକ କମିଟି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ସୋମବାର ଅପରାହ୍ନରେ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବସିଥିଲା ବୈଠକ । ରାଜ୍ୟ କ୍ୟାବିନେଟ ଆଜି (ସୋମବାର) 10ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।
କୋଭିଡ ପରିଚାଳନା ତଥା ରାଜ୍ୟରେ ମହାମାରୀର ପ୍ରସାର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କ୍ୟାବିନେଟ । ଏହା ବ୍ୟତୀତ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଏବଂ ପରିବହନ, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ଏବଂ ଗୃହ ବିଭାଗ ସହ ଜଡିତ ଅନ୍ୟ ଦଶଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି ।
କୋଭିଡ଼ ମହାମାରୀ ବିରୁଦ୍ଧ ଲଢ଼େଇରେ କୋଭିଡ଼ ଯୋଦ୍ଧାମାନେ ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ ଜାରି ରଖିଛନ୍ତି । କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ରାଜ୍ୟ କ୍ୟାବିନେଟ ପ୍ରଶଂସା କରିଛି ।
କୋଭିଡ଼ ସହ ଲଢ଼େଇରେ ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ ରାଜ୍ୟବାସୀ ସହଯୋଗ କରୁଥିବାରୁ କ୍ୟାବିନେଟ ପ୍ରଶଂସା କରିଛି । ଟେଷ୍ଟିଂ, ଟ୍ରାକିଂ, ଟିକାକରଣରେ ରାଜ୍ୟବାସୀ ଯେଭଳି ସହଯୋଗ ଯୋଗାଇ ଆସିଛନ୍ତି ସେଥିପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।
ଭବିଷ୍ୟତ କୋଭିଡ଼ ସକ୍ରମଣରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ତଥା ଅମୂଲ୍ୟ ଜୀବନ ରକ୍ଷା କରିବା ନିମନ୍ତେ ଟୀକାକରଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଇସ୍ରାଏଲ ପରି ଦେଶ ଯେଉଁମାନେ କି ତାଙ୍କ ଜନସଂଖ୍ୟାର ବୃହତର ଭାଗର ଟୀକାକରଣ କରିସାରିଛନ୍ତି ।
ସେମାନେ ଏବେ ସ୍ବାଭାବିକତା ଆଡ଼କୁ ଫେରୁଛନ୍ତି । ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରଷା ଦିଗରେ ଟୀକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡିଛି । ଟିକା ନେଇଥିବା ବ୍ୟକ୍ତି ମାନଙ୍କର ସକ୍ରମଣ ହେଲେ ବି ତାହା ବହୁତ କମ୍ ଲକ୍ଷଣଯୁକ୍ତ ହେଉଥିବା ଦେଖାଯାଉଛି ।
ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କ ପାଇଁ ଟୀକା ସଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟୀକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ଏବଂ ଶୀଘ୍ର ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ।
ଓଡ଼ିଶା ବାସୀ ଯେପରି ସୁବିଧାରେ ଟିକା ପାଇପାରିବେ । ସେଥିପାଇଁ ବିଶ୍ବର ବିଭିନ୍ନ ପ୍ରମୁଖ ଟିକା କମ୍ପାନୀରୁ ଟିକା ସଂଗ୍ରହ ନିମନ୍ତେ ପଦକ୍ଷେପ ନିଆଯିବ । ଏଥିପାଇଁ ଏକ ଗ୍ଲୋବାଲ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କରିଛନ୍ତି ।
ଆମର ବିପଦସଂକୁଳ ଜନସାଧାରଣଙ୍କର ଶୀଘ୍ର ଟୀକାକରଣ ଏବଂ ମୂଲ୍ୟବାନ ଜୀବନର ସୁରକ୍ଷା ସହିତ ଲୋକଙ୍କ ଜୀବନଜୀବିକାର ପୁନଃସ୍ଥାପନରେ ଏହା ସହାୟକ ହେବ । ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ । ଏବଂ ଏହା ବିଷଦ ବ୍ୟବସ୍ଥା ଉପରେ ଧ୍ୟାନ ଦେବ ।
ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ । ସାର୍ବଜନୀନ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ ।