ଭୁବନେଶ୍ବର: 2024 ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ନୂଆ ଟିମ ଗଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରୀ ବଦଳାଇଛନ୍ତି ନବୀନ । ଟିମରେ 5 ନୂଆ ମୁହଁ ସାମିଲ ହେବା ସହ 5 ପୁରୁଣା ଚେହେରା ମନ୍ତ୍ରୀମଣ୍ଡଳକୁ ଫେରିବେ । ମୋଟ 8 ଜଣ ମନ୍ତ୍ରୀଙ୍କ ପଦ ରହିଛି । ଆଜି ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ । ଆଜି (ରବିବାର) ପୂର୍ବାହ୍ନ 11.45ଟାରେ ଲୋକସଭା ଭବନର କନଭେସନ ହଲରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶପଥ ପାଠ କରାଇବେ ।
ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ 22 ବର୍ଷ ଶାସନ ଭିତରେ ଏପରି କେବେ ହୋଇନଥିଲା । 20 ମନ୍ତ୍ରୀଙ୍କ ଇସ୍ତଫା ପରେ ନୂଆ ଟିମ ଗଢିଛନ୍ତି ନବୀନ । 12 ଜଣ ମନ୍ତ୍ରୀଙ୍କ ପଦକୁ ଅବ୍ୟାହତି ଦିଆଯାଇଛି । ଏଥିରେ କୃଷିମନ୍ତ୍ରୀ ପଦରେ ଥିବା ଅରୁଣ ସାହୁ, ନଗର ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ, ଶକ୍ତି ଓ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ରହିଛନ୍ତି ।