ଭୁବନେଶ୍ବର: ବିଜେଡି ସରକାର ପଞ୍ଚମ ଇନିଂସର ତୃତୀୟ ବର୍ଷ ଚାଲିଛି । ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ମିଳିବା ପରେ ନବୀନଙ୍କ ମନ୍ତ୍ରୀମଣ୍ଡଳର ରୂପରେଖ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ 22 ବର୍ଷ ଶାସନରେ ନବୀନ ପ୍ରତି ଥର ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ କରିଛନ୍ତି । ପଞ୍ଚମ ପାଳିରେ କୋଭିଡ ସଂକ୍ରମଣ ଥିଲା, ବୋଧ ହୁଏ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ମାପିବାରେ ବିଳମ୍ବ ହୋଇଛି । ତେବେ ଏଥର କୋଭିଡ କଟକଣା ହଟି ଥିବାରୁ ଦଳର ସୁପ୍ରିମୋ ମନ୍ତ୍ରୀମଣ୍ଡଳର ଅଦଳ ବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ତେବେ ଚଳିତ ଥର ଅନେକ ମନ୍ତ୍ରୀ ବିବାଦୀୟ ହୋଇପଡିଥିବା ସତ୍ତ୍ୱେ ନବୀନ ନୀରବତା ଅବଲମ୍ବନ କରିଛନ୍ତି । 2022 ର ପ୍ରଥମାର୍ଦ୍ଧରେ ଦୁଇ ଦୁଇଟି ନିର୍ବାଚନ ଅତିକ୍ରମ କରିଛି ଦଳ । ପଞ୍ଚାୟତ ଓ ପୌର ନିର୍ବାଚନରେ କିଛି ମନ୍ତ୍ରୀଙ୍କ ଦକ୍ଷତା ଏବଂ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା ମାପିବା ପାଇଁ ସୁଯୋଗ ମିଳିଛି ବୋଲି ଅନୁମାନ କରାଯାଉଛି । ସେପଟେ 2024ରେ ସାଧାରଣ ନିର୍ବାଚନ ଆସୁଥିବାରୁ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ ଦୃଢ ବିଶ୍ବାସ କରାଯାଉଛି ।