ଭୁବନେଶ୍ବର: ମିଶନ ଶକ୍ତି ମାଧ୍ୟମରେ ଆହୁରି ସଶକ୍ତ ହେବେ ମହିଳା । ରାଜ୍ୟ କ୍ୟାବିନେଟ ବୈଠକରେ ମିଶନ ଶକ୍ତି ପାଇଁ ବଡ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ ବୈଠକରେ ମିଶନ ଶକ୍ତି ବିଭାଗ ଅଧିନରେ ପରିଚାଳିତ "ମିଶନ ଶକ୍ତି" ଯୋଜନା ପାଇଁ ଆଗାମୀ 5 ବର୍ଷ ଯାଏଁ ଅର୍ଥାତ୍ ଆର୍ଥିକ ବର୍ଷ ୨୦୨୨-୨୩ ଠାରୁ ୨୦୨୬-୨୭ ପର୍ଯ୍ୟନ୍ତ ବଜେଟରେ ୪୯୭୩.୩୯ କୋଟି ଟଙ୍କା ଅନୁମୋଦନ କରାଯାଇଛି ।
ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି:
- ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଏବଂ ଏହି ଆନ୍ଦୋଳନର ପ୍ରସାରଣ ।
- ସାରା ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ତାଙ୍କର ମହାସଂଘଗୁଡିକର ସଶକ୍ତିକରଣ
- ଆନୁଷ୍ଠାନିକ ଦକ୍ଷତା ବିକାଶ, ରାଜ୍ୟରେ ପ୍ରତ୍ୟେକ ସ୍ତରରେ କ୍ଷମତା ଏବଂ ଦକ୍ଷତା ବୃଦ୍ଧି ।
- ଆର୍ଥିକ ଅନ୍ତର୍ଭୁକ୍ତିକରଣ
- ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘଙ୍କ ପାଇଁ ମିଶନ ଶକ୍ତି ଗୃହ, ବ୍ଲକ୍ ମିଶନ ଶକ୍ତି ଭବନ ଓ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଭବନର ଭିତ୍ତିଭୂମି ଯୋଗାଣ
- ମିଶନ ଶକ୍ତି ବଜାର ଏବଂ ଇ କମର୍ସ୍ ପ୍ଲାଟଫର୍ମ ପାଇଁ ବିକ୍ରୟ ବ୍ୟବସ୍ଥା ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କର ଜୀବିକା କାର୍ଯ୍ୟକଳାପକୁ ମଜବୁତ କରିବା ପାଇଁ ଅନ୍ୟ ବିଭାଗ ମାନଙ୍କ ସହିତ ସହଭାଗିତା ।
ଆଗାମୀ ୫ ବର୍ଷ ମଧ୍ୟରେ ମିଶନ ଶକ୍ତି ଯୋଜନା ମାଧ୍ୟମରେ ହାତକୁ ନିଆଯାଉଥିବା ବିଭିନ୍ନ ବିଭିନ୍ନ କାର୍ଯ୍ୟକ୍ରମ-
- ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ୫୦,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ।
- ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ୧,୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ।
- ସାରା ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ ସାମଗ୍ରୀର ବିକ୍ରି କରିବା ପାଇଁ ୫୦୦ ଗୋଟି ମିଶନ ଶକ୍ତି ବଜାର ଓ ଆଉଟଲେଟ୍ ସ୍ଥାପନ ।
- ପ୍ରାୟ ୩୫ ରୁ ୪୦ ଲକ୍ଷ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଜୀବିକା ନିର୍ବାହ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ତାଲିମ ।
- ପ୍ରତ୍ୟେକ ଜିଲ୍ଲା, ବ୍ଲକ, ପଞ୍ଚାୟତ ଏବଂ ସହରୀ ୱାର୍ଡରେ ମିଶନ୍ ଶକ୍ତି ଗୃହ ବା ଭବନର ବ୍ୟବସ୍ଥା ।
- ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ତଥା ମହାସଂଘଙ୍କୁ ୬୬୦୦ କୋଟିରୁ ଅଧିକ ବ୍ୟବସାୟ ଯୋଗାଇ ଦିଆଯିବ ।