ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ୩୨ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ ମଞ୍ଜୁରୀ କରିଥିବା ଏକ ପ୍ରମୁଖ ପ୍ରସ୍ତାବ ହେଉଛି ରାଜ୍ୟରେ ଥିବା ୨୪ ଗୋଟି ଘରୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଜାନୁୟାରୀ ୨୦୨୨ ଠାରୁ ଶିକ୍ଷା ଅନୁଦାନ ଆଦେଶ ୨୦୧୩ ଅନୁଯାୟୀ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ତଦନୁଯାୟୀ, ସେହି ବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ୪୭ ଜଣ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୬୮.୫୫ ଲକ୍ଷ ଟଙ୍କା ଖର୍ଚ୍ଚ ବହନ କରିବେ ।
ଏହାବାଦ ସହାୟକ ବାଣିଜ୍ୟକର ଓ ଦ୍ରବ୍ୟ ଓ ସେବାକର ଅଧିକାରୀଙ୍କ ନିମନ୍ତେ 596 ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି । ଉପରୋକ୍ତ ନିୟମାବଳୀର ନିୟମ-5 ଅନୁସାରେ ଉକ୍ତ ପଦବୀର ମୋଟ 50 ପ୍ରତିଶତ ସିଧାସଳଖ ନିଯୁକ୍ତି ମାଧ୍ୟମରେ ଓ ବାକି 50 ପ୍ରତିଶତ ଚୟନ ମାଧ୍ୟମରେ ପୂରଣ କରାଯାଇଥାଏ ।
ଚୟନ ମାଧ୍ୟମରେ ପୂରଣ ହେବାକୁ ଥିବା ପଦବୀଗୁଡିକ ମଧ୍ୟରୁ 30 ପ୍ରତିଶତ ବାଣିଜ୍ୟକର ଓ ଜିଏସଟି କମିଶନର ତଥା ବିକ୍ରିକର ନ୍ୟାୟାଧ୍ଵିକରଣଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହାୟକ ଓ ବରିଷ୍ଠ ଆଶୁଲିପିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ । ବାକି 70 ପ୍ରତିଶତ ବାଣିଜ୍ୟକର ଓ ଜିଏସଟି କମିଶନରଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ଥିବା ରେଞ୍ଜ ଓ ସର୍କଲରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଓ ଷ୍ଟେନୋ ଗ୍ରାଫର (ଆଶୁ ଲିପିକ) ମାନଙ୍କ ଲାଗି ଉଦ୍ଦିଷ୍ଟ । ଉକ୍ତ ନିୟମାବଳୀର ନିୟମ-7 ଅନୁସାରେ ରେଞ୍ଜ ଓ ସର୍କଲରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଓ ବରିଷ୍ଠ ଆଶୁଲିପିକମାନେ କ୍ରମାଗତ ଭାବେ 12 ବର୍ଷ କାର୍ଯ୍ୟ କରିସାରିଥିଲେ। ସେମାନେ ଚୟନ ମାଧ୍ୟମରେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେଉଥିଲେ । ବର୍ତ୍ତମାନ ନିୟମ 7 ର ଉପନିୟମ 1 ର ସଂଶୋଧନ କରି ଉକ୍ତ ଅବଧିକୁ 12 ବର୍ଷରୁ 10 ବର୍ଷକୁ କମାଇ ଦିଆଯିବାର ପ୍ରସ୍ତାବ ଅଛି ଓ କନିଷ୍ଠ କିରାଣୀ’ ଓ ‘ବରିଷ୍ଠ କିରାଣୀ’ ଶବ୍ଦଗୁଡିକ ବଦଳରେ ‘କନିଷ୍ଠ ସହାୟକ’ ଓ ‘ବରିଷ୍ଠ ସହାୟକ’ ଶବ୍ଦଗୁଡିକୁ ପ୍ରତିସ୍ଥାପିତ କରାଯାଇଛି । ନିୟମ 18 ର ପ୍ରତିସ୍ଥାପନ ଜରିଆରେ ସରକାରଙ୍କୁ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉପରୋକ୍ତ ନିୟମାବଳୀକୁ ଆବଶ୍ୟକ ସ୍ଥଳେ ସଂଶୋଧନ କରିବାର କ୍ଷମତା ପ୍ରଦାନ କରିବାର ପ୍ରସ୍ତାବ ରହିଛି ।