ଭୁବନେଶ୍ବର: ଆଜି ବିଧାନସଭାରେ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟରେ ଶକ୍ତି କ୍ଷେତ୍ରକୁ ଗୁରୁତ୍ବ ଦେବା ସହ ଏଥିପାଇଁ 2021-22 ବଜେଟରେ 1 ହଜାର 7 ଶହ 99 କୋଟିର ବ୍ୟୟବରାଦ କରାଯାଇଛି ।
ସେହିପରି ପାରାଦ୍ବୀପ ବନ୍ଦର ଅଞ୍ଚଳରେ ଶିଳ୍ପର ବିକାଶ ଓ ପିସିପିଆଇଆରର ବିକାଶ ପାଇଁ ଭବିଷ୍ୟତରେ ଆବଶ୍ୟକ ହେବାକୁ ଥିବା ବିଦ୍ୟୁତ ଯୋଗାଇବା ଉଦ୍ଦେଶ୍ୟରେ 6 ଶହ 37 କୋଟି ବ୍ୟୟରେ ସବ ଷ୍ଟେସନ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି । ଏଥିପାଇଁ 90 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ସେପଟେ ଓଡିଶା ଶକ୍ତି ଉତ୍ପାଦନ ନିଗମରେ ଥିବା ଏଇସିର 49 ପ୍ରତିଶତ ଅଂଶଧନ କିଣିବା ପାଇଁ 2021-22 ଆର୍ଥିକ ବର୍ଷରେ ଓଡିଶା ଜଳବିଦ୍ୟୁତ ନିଗମରେ 5 ଶହ କୋଟି ଟଙ୍କାର ଅଂଶଧନ ନିବେଶ କରାଯିବ ବୋଲି କୁହାଯାଇଛି । ଏହା ସହ ପ୍ରକଳ୍ପ ମୂଲ୍ୟ ବାବଦକୁ ଓଡିଶା ଶକ୍ତି ଉତ୍ପାଦନ ନିଗମକୁ ଅତିରିକ୍ତ 2 ଶହ 25 କୋଟି ଟଙ୍କା ଇକ୍ୟୁଟି ସହାୟତା ବାବଦରେ ପ୍ରଦାନ କରିବାର ପ୍ରସ୍ତାବ ରହିଛି । ଅନ୍ୟପଟେ ସବ ଷ୍ଟେସନ ନିର୍ମାଣ ଓ ଗ୍ରାମାଞ୍ଚଳରେ ଉଚ୍ଚମାନର ବିଦ୍ୟୁତ ଯୋଗାଣ ପାଇଁ ଅଣ ଲାଭଜନକ ଶକ୍ତି ଭିତ୍ତିଭୂମିର ବିକାଶ ଲାଗି ଓପିଟିସିଏଲକୁ ଅଂଶଧନ ସହାୟତା ବାବଦରେ 3 ଶହ 32 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ସେହପରି ବିପର୍ଯ୍ୟୟ ସହଣୀୟ ବିଦ୍ୟୁତ ବ୍ୟବସ୍ଥା ପାଇଁ 50 କୋଟି ଓ ହାତୀ ଚଳପ୍ରଚଳ କରୁଥିବା ପଥ ଏବଂ ଅଞ୍ଚଳରେ ବ୍ୟବସ୍ଥାର ଦୃଢୀକରଣ ପାଇଁ 1 ଶହ 20 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେପଟେ ଓଡିଏସଏସପି ପାଇଁ 1ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ