ଭୁବନେଶ୍ବର: ଷୋଡଶ ବିଧାନସଭା ଅଷ୍ଟମ ଅଧିବେଶନର ଶୀତକାଳୀନ ଅଧିବେଶନର ନିର୍ଦ୍ଧାରିତ ଦିବସ ପୂର୍ବରୁ ମୁଲତବୀ କରିଦେଲେ ବାଚସ୍ପତି । ଅଧିବେଶନରେ ଅଧଘଣ୍ଟା ପାଇଁ ମଧ୍ୟ ଚାଲିପାରିଲା ନାହିଁ ଗୃହ । ବିରୋଧୀଙ୍କ ଦାବି ସରକାରଙ୍କ ଜିଦ ଆଗରେ ପୁରା ଧୋଇଗଲା ଅଧିବେଶନ । ଫଳରେ ବିରୋଧୀ ବିଜେପି ବିଧାୟକ ମାନେ ଆଜି (ଶନିବାର) ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଏନେଇ ଆଜି ବିଜେପି ବିଧାୟକ ମାନେ ୪ ଦଫା ଦାବି ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ନିଜ ଅଭିଯୋଗରେ ବିଜେପି ଦର୍ଶାଇଛି ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦେଲେ ନାହିଁ ବାଚସ୍ପତି । ସ୍ଥିର ହୋଇଥିବା ଧାର୍ଯ୍ୟ ଦିବସ ପୂର୍ବରୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଦେଲେ । ୩ବର୍ଷ ହେଲା ଗୃହ ଠିକରେ ଚାଲୁନାହିଁ।