ଭୁବନେଶ୍ବର:ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା 15 ତାରିଖରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ଡାକରା ଦିଆଯାଇଛି । ସକାଳ 7ଟାରୁ 1ଟା ପର୍ଯ୍ୟନ୍ତ 6 ଘଣ୍ଟିଆ ଏହି ବନ୍ଦ ଡାକରା ବଳବତ୍ତର ରହିବ । ଏହାକୁ ଦୃଷ୍ଟିରେ ରଖି 15 ତାରିଖ ସକାଳ 9 ଟା 30 ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ସମେତ ଭୁବନେଶ୍ବରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସରକାରୀ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ରହିଛି ।
ସରକାରଙ୍କ ସ୍ବତନ୍ତ୍ର ସଚିବ ସନ୍ତୋଷ ବାର୍ଲ୍ଲା ଏନେଇ ସମସ୍ତ ଅତିରିକ୍ତ ଶାସନ ସଚିବ, ପ୍ରମୁଖ ସଚିବ, କମିଶନର ତଥା ସ୍ବତନ୍ତ୍ର ସଚିବମାନଙ୍କୁ ଚିଠି ଲେଖିଛନ୍ତି । ବନ୍ଦ ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ମାର୍କେଟ, କୋର୍ଟ, ପେଟ୍ରୋଲ ପମ୍ପ ଓ ବ୍ୟାଙ୍କକୁ ମଧ୍ୟ ବନ୍ଦ କରିପାରେ କଂଗ୍ରେସ । ଯାନବାହନ ତଥା ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।