ଭୁବନେଶ୍ବର: ଶୁକ୍ରବାର ବିଧାନସଭାରେ ବାଚସ୍ପତି ଦେଇଥିବା ରୁଲିଂକୁ ନେଇ ଶନିବାର ଗୃହରେ ପ୍ରବଳ ବିରୋଧ କରିଥିଲେ ମିଳିତ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ବାଚସ୍ପତିଙ୍କ ରୁଲିଂ ପ୍ରସଙ୍ଗକୁ ନେଇ ଶନିବାର ସମ୍ପୂର୍ଣ୍ଣ ରୂପେ ଧୋଇଗଲା ପ୍ରଶ୍ନକାଳ ଓ ଶୁନ୍ୟକାଳ ।
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବାରମ୍ବାର ଗୃହ ମୁଲତବୀ କରିଥିଲେ । ପରେ ଅପରାହ୍ନ 3ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୁଣି ଅଚଳାବସ୍ଥା ଲାଗି ରହିଥିଲା । ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ଦାବିକୁ ମାନିନେବା ସହ ଗୃହ କାର୍ଯ୍ୟବେଳେ ବିଧାନସଭାରେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ ବୋଲି ରୁଲିଂ ଦେବାସହ ଆବଶ୍ୟକ ସ୍ଥଳେ ମୁଖ୍ୟ ଶାସନ ସଚିବ ପଦକ୍ଷେପ ନେବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗୃହକାର୍ଯ୍ୟ ସ୍ବାଭାବିକ ହେବାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଥିଲା ।