ଭୁବନେଶ୍ବର: କୃଷି ଓ କୃଷକ ଶସକ୍ତିକରଣ ବିଭାଗର ୬ ହଜାର ୬୪୬ କୋଟି ୧୧ ଲକ୍ଷ ୬୯ ହଜାର ଟଙ୍କାର ଖର୍ଚ୍ଚ ଦାବିକୁ ଆଜି ଗୃହର ଅନୁମୋଦନ ମିଳିଛି । ଖର୍ଚ୍ଚଦାବି ଅନୁମୋଦନ ଲାଗି ଗୃହରେ କୃଷି ମନ୍ତ୍ରୀ ଉପସ୍ଥାପନ କରିଥିଲେ । ଏନେଇ ଗୃହରେ ବିଷଦ ଭାବେ ଆଲୋଚନା ହୋଇଛି ।
କୃଷି ମନ୍ତ୍ରୀ ବିଧାୟକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ତାଙ୍କ ବଜେଟରେ ଯେତେ ବ୍ୟୟ ବରାଦ କରୁଛନ୍ତି ରାଜ୍ୟ ବଜେଟରେ କୃଷି କ୍ଷେତ୍ରକୁ ଅଧିକ ବ୍ୟୟ ବରାଦ କରାଯାଉଛି । ଗତ ତିନି ବର୍ଷ ହେବ କୃଷି କ୍ଷେତ୍ରରେ କେନ୍ଦ୍ରରୁ ରାଜ୍ୟକୁ ଯେଉଁ ଅନୁଦାନ ମିଳିବା କଥା ତାହା ମିଳିନାହିଁ । ରାଜ୍ୟର କୃଷି ଅଭିବୃଦ୍ଧି ହାର 8.5 ଥିବା ଜାତୀୟ ସ୍ତରରେ ଏହା ମାତ୍ର 4 ପ୍ରତିଶତ ରହିଛି । କୃଷିମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ମୋଟ ଆୟର 20.61 ପ୍ରତିଶତ ଏହି କୃଷିକ୍ଷେତ୍ରରୁ ଆସିଥାଏ । 2020/21 ଆର୍ଥିକ ବର୍ଷରେ ରାଜ୍ୟରେ ସର୍ବକାଳୀନ ରେକର୍ଡ 130.39 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଉତ୍ପାଦନ କରାଯାଇଛି । ବିଗତ ବର୍ଷ ମାନଙ୍କରେ ରାଜ୍ୟ ସରକାର ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିଥିବା ହେତୁ ପାଞ୍ଚ ଥର କୃଷିକର୍ମଣ ପୁରସ୍କାର ହାସଲ କରିଛି । ବିଗତ ବର୍ଷ ମାନଙ୍କରେ ଅମ୍ପନ, ଜୱାଦ, ୟଶ ଓ ଗୁଲାବ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ପହଞ୍ଚିଥିବା କ୍ଷତିର ରାଜ୍ୟ ସଫଳ ମୁକାବିଲା କରିପାରିଛି । ଓଡ଼ିଶା କ୍ଷୁଦ୍ରଶସ୍ୟ ମିଶନ ରାଜ୍ୟରେ କ୍ଷୁଦ୍ରଶସ୍ୟ ପ୍ରୋତ୍ସାହନ ମାଧ୍ୟମରେ ପୁଷ୍ଟି ନିରାପତ୍ତା ଯୋଗାଇବା ପାଇଁ 2016/17 ବର୍ଷରୁ କ୍ଷୁଦ୍ରଶସ୍ୟ ମିଶନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ।
ବର୍ତ୍ତମାନ ଏହା 19 ଟି ଜିଲ୍ଲାର 142 ଟି ବ୍ଲକରେ ଅନୁନ୍ୟ 81600 ହେକ୍ଟର ପରିମିତ ଜମିରେ କାର୍ଯ୍ୟକାରୀ ହେଉଛି । ଗତ ବର୍ଷ ଅନୁନ 3.23 ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି । ଚଳିତ ବର୍ଷ 6 ଲକ୍ଷ କ୍ଲିଣ୍ଟାଲ ମାଣ୍ଡିଆ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ମାଣ୍ଡିଆକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓ ମାଣ୍ଡିଆ ଲଡ଼କୁ ସମନ୍ବିତ ଶିଶୁ ଉନ୍ନୟନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପ୍ରାୟ 50 ଲକ୍ଷ ପରିବାରଙ୍କୁ 2 କିଲୋ ହିସାବରେ ମାଣ୍ଡିଆ ଯୋଗାଇ ଦିଆଯାଇଛି ।