ଭୁବନେଶ୍ବର: ଶେଷ ହେବ ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ। ଏପରି ସ୍ଥଳେ ଆଜି (ଗୁରୁବାର) ରାଜ୍ୟବାସୀ ଆଶା କରିଥିଲେ ଶେଷ ଦିନରେ ସୁରଖୁରରେ ଚାଲିବ ଗୃହ । ସରକାର ବିରୋଧୀ ସମ୍ବେଦନଶୀଳ ହୋଇ କରିବେ କାମ । କିନ୍ତୁ ଆଜି ମଧ୍ୟ ଧୋଇଗଲା ପ୍ରଶ୍ନକାଳ । ବିରୋଧୀ ସରକାରୀ ଦଳର ରାଜନୈତିକ ଲଢେଇ ଆଗରେ ବଳି ପଡିଲା ପ୍ରଶ୍ନକାଳ । ଆଉ ଏପଟେ ଗୃହ ଚଳାଇବାକୁ ଉଦ୍ୟମ ନକରି ସିଧା ମୁଲତବୀ କରିଦେଲେ ବାଚସ୍ପତି । ପ୍ରଥମେ ପୂର୍ବାହ୍ନ ୧୧.୩୦ ଓ ପରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ କଲେ ବିଧାନସଭା ବାଚସ୍ପତି ।
ଚଳିତ ମାସ ପ୍ରଥମରୁ ଆରମ୍ଭ ହୋଇଥିବା ଏହି ସ୍ବଳ୍ପ ଅଧିବେଶନ ଆଜି(ଗୁରୁବାର) ଶେଷ ହେଉଛି । ଛୋଟ ହୋଇଥିଲେ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା। ଅଧିବେଶନରେ ସରକାର ୧୨ ଟି ବିଲ ସହ ୨ ଟି ଅଧ୍ୟାଦେଶ ଆଣିବାକୁ ଯୋଜନା କରିଥିଲେ। ସେଥିରୁ ଏକାଧିକ ବିଲ ଗୃହିତ ହୋଇ ସାରିଥିବା ବେଳେ, ଆଉ କିଛି ବାକି ରହିଛି । ଏହାବାଦ ରାଜ୍ୟର ସ୍ବାସ୍ଥ୍ୟ, ଶିକ୍ଷା, ମହାମାରୀ, ଖଣି ଦୁର୍ନୀତି, ଅଭାବୀ ବର୍ଷା, ସାର ଅଭାବ ଭଳି ମାଳମାଳ ପ୍ରସଙ୍ଗ ରହିଥିଲା । ଏହାବାଦ ମଧ୍ୟ ଅନେକ ମୁଦ୍ଦା ଥିଲା କିନ୍ତୁ ସରକାର ଓ ବିରୋଧୀଙ୍କ ଲଢେଇ ପାଇଁ ଏହି ସ୍ବଳ୍ପ ଅଧିବେଶନ ମଧ୍ୟ ଶତ ପ୍ରତିଶତ ସଫଳ ହୋଇନାହିଁ ।