ଓଡିଶା

odisha

ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ୍‌ ପାରିତ

By

Published : Aug 2, 2022, 8:16 AM IST

ବିଧାନସଭାରେ ପାରିତ ହୋଇଛି ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ 2022 । ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ପରି ଅବମାନନା ନୋଟିସ ଜାରୀ କରିପାରିବେ ଲୋକାୟୁକ୍ତ । ଯେଉଁ ଅଫିସର ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ compliance report ପ୍ରସ୍ତୁତ କରୁନାହାନ୍ତି ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କରିପାରିବେ ସୁପାରିଶ । ଅନ୍ୟପଟେ ରାଜ୍ୟ ସରକାର ପକ୍ଷରୁ ଅଣା ଯାଇଥିବା ଏହି ବିଲରେ ମୁଖ୍ୟ ଶାସନ ସଚିବମାନେ ମୁ୍ଖ୍ୟମନ୍ତ୍ରୀ ବୋଲି ଉଲ୍ଲେଖ ଥିଲା । ଯାହାକୁ ନେଇ ଅପତ୍ତି ଉଠାଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଅଧିକ ପଢନ୍ତୁ

ପାରିତ ହେଲା ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ 2022; ନିର୍ଦ୍ଦେଶ ଅବମାନନା ପାଇଁ ଦଣ୍ଡିତ କରିପାରିବେ ଲୋକାୟୁକ୍ତ
Odisha Lok Sabha Amendment Bill 2022 passed

ଭୁବନେଶ୍ବର: ସଶକ୍ତ ହେଲା ଲୋକାୟୁକ୍ତ । ଓଡ଼ିଶା ଲୋକାୟୁକ୍ତ ଆଇନ-2014ର ସଂଶୋଧନକୁ(Odisha Lokayukta Amendment Bill ) ଓଡ଼ିଶା ବିଧାନସଭା ଅନୁମୋଦନ କରିଛି । ଯଦି କୌଣସି ସରକାରୀ କର୍ମଚାରୀ ଉଦ୍ଦେଶ୍ୟମୂଳକ ଭାବେ ନିର୍ଦ୍ଦେଶକୁ ଅବମାନନା କରିବେ, ତେବେ ତାଙ୍କ ବିରୁଦ୍ଧରେ କୋର୍ଟ ଅବମାନନା ଆଇନ-1971 ଆଧାରରେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଭଳି ଲୋକାୟୁକ୍ତ କରିପାରିବେ ଦଣ୍ଡବିଧାନ । ଅନ୍ୟପଟେ ଚାନ୍ଦା ଗ୍ରହଣର ଖୋଳତାଡ଼ କରିବାର କ୍ଷମତା ହରାଇଛନ୍ତି ଲୋକୟୁକ୍ତ ।

ପୂର୍ବରୁ ଲୋକାୟୁକ୍ତଙ୍କ ପାଖରେ ଏହି କ୍ଷମତା ଥିବାବେଳେ ବିଧାନସଭାରେ ପାରିତ ସଂଶୋଧିତ ବିଲରେ ଏହି ପ୍ରାବଧାନକୁ ହଟାଇ ଦିଆଯାଇଛି । କେନ୍ଦ୍ରୀୟ ଲୋକପାଳ ଓ ଲୋକାୟୁକ୍ତ ଆଇନ-2013ରେ ଏହି ବ୍ୟବସ୍ଥା ନଥିବା ଦର୍ଶାଇ ରାଜ୍ୟ ସରକାର ଓଡ଼ିଶା ଲୋକାୟୁକ୍ତ ଆଇନର ଧାରା 1ର ପ୍ରାବଧାନକୁ ଉଚ୍ଛେଦ କରିଛନ୍ତି । ଯାହାଫଳରେ ଲୋକଙ୍କଠୁ ଚାନ୍ଦା ଗ୍ରହଣ କରୁଥିବା ସଂସ୍ଥା ଅବା ସଂଗଠନ ସମ୍ପର୍କରେ ତଦନ୍ତ କରିବା ଏଣିକି ଲୋକାୟୁକ୍ତଙ୍କ କ୍ଷମତା ପରିସରଭୁକ୍ତ ରହିବ ନାହିଁ ।

ପାରିତ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ-2022ରେ ଥିବା ସଂଶୋଧିତ ପ୍ରାବଧାନ ଅନୁସାରେ, ପୂର୍ବରୁ ବିଭାଗର ଉପଯୁକ୍ତ କର୍ତ୍ତୃପକ୍ଷ କହିଲେ ଦାୟିତ୍ବରେ ଥିବା ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କୁ ବୁଝାଉଥିଲା । କୌଣସି ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଲେ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତ ସମ୍ପୃକ୍ତ ବିଭାଗର ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ସୁପାରିସ କରୁଥିଲେ । ମାତ୍ର ଲୋକାୟୁକ୍ତଙ୍କ ସୁପାରିସ ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଓ ପ୍ରଶାସନିକ ସୁବିଧା ନିମନ୍ତେ ଉପଯୁକ୍ତ କର୍ତ୍ତୃପକ୍ଷରେ ପରିବର୍ତ୍ତନ କରାଯାଇଛି ।

ବିଭାଗୀୟ ମନ୍ତ୍ରୀଙ୍କ ବଦଳରେ ଏବେ ସମ୍ପୃକ୍ତ ବିଭାଗର ସଚିବ ହିଁ ଉପଯୁକ୍ତ କର୍ତ୍ତୃପକ୍ଷ ହେବେ । ତେବେ ଏହି ବିଲ ଉପରେ ଆଲୋଚନାବେଳେ କଂଗ୍ରେସ ବିଧାୟକ ଦଳର ନେତା ତଥା ଆଇନଜୀବୀ ନରସିଂହ ମିଶ୍ର ଆପତ୍ତି ଉଠାଇଛନ୍ତି । ନରସିଂହ କହିଛନ୍ତି, "ସରକାର ଆଣିଥିବା ବିଲ୍‌ରେ ମୁଖ୍ୟଶାସନମାନେ ମୁଖ୍ୟମନ୍ତ୍ରୀ ବୋଲି ଉଲ୍ଲେଖ ଅଛି । ତରବରିଆ ଭାବେ ବିଲ୍‌ ପାରିତ ନକରାଯାଉ ।" କିନ୍ତୁ ଏହା ସତ୍ତ୍ବେ ସରକାର ଏହି ବିଲକୁ ଗୃହରେ ପାରିତ କରାଇ ନେବାରେ ସଫଳ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details