ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ । ଏହି ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ବିରୋଧୀଙ୍କ ହାତରେ ରହିଛି ମାଳ ମାଳ ଅଭିଯୋଗ । ବିଶେଷକରି ଓଡିଶା ଷ୍ଟାଫ ସିଲେକସନରେ ଦୁର୍ନୀତି, ବିଦ୍ୟୁତ ଦର ବୃଦ୍ଧି, ଧାନ କିଣାରେ ଅବ୍ୟବସ୍ଥା, କୋରୋନା ପରିଚାଳନାରେ ବିଭ୍ରାଟ ଭଳି ମାଳ ମାଳ ପ୍ରସଙ୍ଗ । ଏହି ସବୁ ପ୍ରସଙ୍ଗରେ ସରକାରକୁ ଘେରିବା ପାଇଁ ଯୋଜନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ସେପଟେ ଶାସକ ଦଳ ବିଜେଡି କହିଛି ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠେଇବେ ସମ୍ମୁଖୀନ ହେବାକୁ ସରକାର ପ୍ରସ୍ତୁତ ଅଛନ୍ତି ।
ସେପ୍ଟେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ୯ ତାରିଖ ଯାଏଁ ଚାଲିବ । ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ ପାଇଁ ରଖାଯାଇ ଥିବାବେଳେ ଅନ୍ୟ ସମସ୍ତ ଦିନଗୁଡ଼ିକ ଅଫିସିଆଲ କାର୍ଯ୍ୟ ଦିବସ ରହିଛି । ୫ ତାରିଖ ରବିବାର ଛୁଟି ରହିବ । ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି । ଚଳିତ ଥର ମଧ୍ୟ କୋରୋନା ଗାଇଡଲାଇନ୍ ମଧ୍ୟରେ ଗୃହ ପରିଚାଳିତ ହେବ । ଯେଉଁମାନେ କୋଭିଡିର ଦୁଇଟି ଡ଼ୋଜ ଟିକା ନେଇଥିବେ ସେମାନଙ୍କୁ ଗୃହ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ।