ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳ (Assembly Zero Hour)ରେ ଆଜି ଉଠିଛି ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗ । କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜ କଥା ଉଠାଇଛନ୍ତି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ । ଆନ୍ଧ୍ରପ୍ରଦେଶ ଅଧିକାରୀ ସୀମାନ୍ତ ଲୋକଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରିଛନ୍ତି ବିଷ୍ଣୁ । ବର୍ତ୍ତମାନ କୋଟିଆରେ ସ୍ଥିତି କଣ ସେ ନେଇ ରାଜସ୍ବ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।
ବିଷ୍ଣୁ କହିଛନ୍ତି ଯେ, ଓଡ଼ିଶା ସୀମାରେ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ । ଆନ୍ଧ୍ର ସରକାର ସୀମାନ୍ତବର୍ତ୍ତୀ ଲୋକମାନଙ୍କୁ ବିଭିନ୍ନ ଯୋଜନା ଦେଇ ପ୍ରଲୋଭିତ କରୁଛନ୍ତି । ଯେଉଁଥିରେ ଶହେରୁ ଉର୍ଦ୍ଧ୍ବ ଗ୍ରାମ ଏହା ଦ୍ୱାରା ପ୍ରଭାବିତ । ମାତ୍ର ରାଜ୍ୟ ସରକାର ସବୁବେଳେ ତଥାକଥିତ ଉତ୍ତର ଦେଉଛନ୍ତି ଆମେ ଅନୁଧ୍ୟାନ କରୁଛୁ । ଆମ ପାଖରେ କିଛି ଖବର ନାହିଁ । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯେଉଁ ପ୍ରଶ୍ନ କରିଥିଲେ, ତାର ଉତ୍ତରରେ ରାଜସ୍ବ ମନ୍ତ୍ରୀ ଏହି ଉତ୍ତର ଲିଖିତ ଭାବେ ଦର୍ଶାଇଛନ୍ତି । ଯଦି ସରକାର ଏପରି କହିବେ ତେବେ ଖବର କିଏ ରଖିବ ବୋଲି ପ୍ରଶ୍ନ କଲେ ବିଷ୍ଣୁ । ବିଭାଗୀୟ ମନ୍ତ୍ରୀ କାହିଁକି କୋଟିଆ ଅଞ୍ଚଳ ପରିଦର୍ଶନ କରୁ ନାହାନ୍ତି । କେଉଁଠି ଅସୁବିଧା ରହୁଛି ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ । ଯେତେବେଳେ ସରକାରୀ ଦଳର ବିଧାୟକ ମାନେ ପ୍ରଶ୍ନ କରୁଛନ୍ତି ସେ ସମୟରେ ସରକାର କହୁଛନ୍ତି ଆମ ପାଖରେ ଖବର ନାହିଁ । ଏଥିରୁ ରାଜ୍ୟବାସୀ କଣ ବୁଝିବେ ?