ଭୁବନେଶ୍ବର: ଆଉ ନାହାନ୍ତି ଓଲିଉଡ ଜଗତର ଲୋକପ୍ରିୟ ଗାୟିକା ତପୁ ମିଶ୍ର । ଗତକାଲି(ଶନିବାର) ବିଳମ୍ବିତ ରାତିରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତପୁଙ୍କ ମୃତ୍ୟୁ ଘଟିଛି । ସେ ନିକଟରେ କୋରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତପୁ କୋରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କ ଫୁସଫୁସ ସଂକ୍ରମଣ ହେବା କାରଣରୁ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିଲା । ପାଖାପାଖି ଏକ ମାସ ହେବ ମେଡିକାଲରେ ସଂଘର୍ଷ କରିବା ପରେ ଶେଷରେ ସେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 38 ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ସମଗ୍ର କଳାଜବତ ସ୍ତବ୍ଧ ହୋଇଯାଇଛି । ତେବେ ମେ ମାସର ପ୍ରଥମ ସପ୍ତାହରେ ତପୁଙ୍କ ବାପା କୋଭିଡରେ ସଂକ୍ରମିତ ହୋଇ ଆରପାରିକୁ ଚାଲି ଯାଇଥିଲେ । ପରେ ପରେ ତପୁ କୋଭିଡରେ ସଂକ୍ରମିତ ହୋଇଥିଲେ । ଆଜି(ରବିବାର) ସତ୍ୟନଗର ଶ୍ମଶାନରେ ତପୁଙ୍କ ଶେଷକୃତ ହେବ ।
ନଇଁଗଲା ସଞ୍ଜ, ନୀରବି ଗଲେ କୋକିଳ କଣ୍ଠୀ ତପୁ ମିଶ୍ର କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ବିୟୋଗରେ ଓଲିଉଡ ଜଗତ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ନଇଁଗଲା ସଞ୍ଜ, ନୀରବି ଗଲେ କୋକିଳ କଣ୍ଠୀ ତପୁ ମିଶ୍ର
ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତରେ ଯୁବ କଣ୍ଠଶିଳ୍ପୀ ଭାବେ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲେ ତପୁ ମିଶ୍ର । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଛନ୍ତି ବହୁ ହିଟ୍ ଗୀତ । ଆଉ ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ନିଜ ଇଣ୍ଡଷ୍ଟ୍ରିରେ ନିଜର ପାରଦର୍ଶିତା ଦେଖାଇଥିଲେ । ନୂଆ କରି ଓଲିଉଡରେ ପାଦ ଥାପି ମଧ୍ୟ ଜଣେ ଭର୍ସାଟାଇଲ ପ୍ଲେ- ବ୍ୟାକ୍ ସିଙ୍ଗର ଭାବେ ସେ ଅନେକ ପ୍ରଶଂସା ସାଉଣ୍ଟିଥିଲେ ।
ନୀରବି ଗଲେ କୋକିଳ କଣ୍ଠୀ ତପୁ ମିଶ୍ର
15 ବର୍ଷ ବୟସରୁ ତପୁ ସଙ୍ଗୀତ କ୍ୟାରିଅର୍ ଆରମ୍ଭ କରିଥିଲେ । ରଙ୍ଗବତୀ ଗୀତର ଗୁରୁ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ଠାରୁ କ୍ଲାସିକାଲ ଗୀତ ଶିକ୍ଷା କରି କଭର ସଙ୍ଗ ଠାରୁ ଆରମ୍ଭ କରି ଷ୍ଟୁଡିଓ ଭର୍ସନ ପର୍ଯ୍ୟନ୍ତ ପ୍ରତିଟି ଗୀତକୁ ଗାଇ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଏହାପରେ ବିଶିଷ୍ଟ ଗୀତିକାର, ନିର୍ଦ୍ଦେଶକ ସ୍ୱରୂପ ନାୟକ ତାଙ୍କୁ ଓଲିଉଡ୍ରେ ବ୍ରେକ ଦେଇଥିଲେ । ତାଙ୍କ ସହିତ ସେ କୋଲକାତା ଯାଇ ଅନେକ ଡବିଂ କରିଛନ୍ତି । 2003 ମସିହାରେ ଫିଲ୍ମ 'କୁଳନନ୍ଦନ'ରୁ ସେ ପ୍ରଥମ ଗୀତ ଗାଇ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପରେ ପରେ 'ଏ ଯୁଗର କୃଷ୍ଣ ସୁଦାମା', 'ମାତୃଶକ୍ତି', 'ଯେ ପାଞ୍ଚେ ପରମନ୍ଦ', 'ଆଇ ଲଭ୍ ୟୁ' ଓ 'ଚକୋଲେଟ' ଭଳି ଅନେକ ଫିଲ୍ମରେ ସେ ହିଟ୍ ଗୀତ ଗାଇଛନ୍ତି । 'ଆଇ ଲଭ୍ ୟୁ' ଫିଲ୍ମରେ ସେ ପାଇଥିଲେ ଢେର ସାରା ପ୍ରଶଂସା । 'ଆରେ ନା ବଜାନା ବଂଶୀ' ଗୀତ ତାଙ୍କୁ ଆଣିଦେଇଥିଲା ଅନେକ ସଫଳତା । ସେ ସମ୍ବଲପୁରୀ ଭାଷାରେ ମଧ୍ୟ ଅନେକ ଗୀତ ଗାଇଛନ୍ତି । କିଛି ଗୀତରେ ସେ ନିଜେ ନିର୍ଦ୍ଦେଶନା ବି ଦେଇଛନ୍ତି । ଏହାସହ ସେ 4 ଥର ରାଜ୍ୟ ପୁରସ୍କାର ପାଇଛନ୍ତି । ସେ ଅତ୍ୟନ୍ତ ମିଷ୍ଟଭାଷୀ ଓ ବେଶ ମେଳାପୀ କଳାକାର ଥିଲେ ।
ସେ ମେ ୧୯ ତାରିଖରେ ICU ରେ ଭର୍ତ୍ତି ହୋଇଥିଲେ । ପରେ ତପୁ ମିଶ୍ରଙ୍କ ଅକ୍ସିଜେନ ସ୍ତରରେ ସୁନ୍ତୁଳନ ଆସିଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ପରେ ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ଏବଂ ଅକ୍ସିଜେନ ସ୍ତର ବହୁତ କମ୍ ରହିଥିଲା । ଏହି ସମୟରେ ତାଙ୍କ ଫୁସଫୁସ ମଧ୍ୟ କୋଭିଡରେ ଅଧିକ ସଂକ୍ରମିତ ହୋଇଯାଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ ତପୁ ମିଶ୍ରଙ୍କୁ ଏକମୋ ଚିକିତ୍ସା ଯୋଗାଇ ଦିଆଯିବାକୁ ତାଙ୍କ ପରିବାର ଲୋକ ଚିନ୍ତା କରିଥିଲେ । ଏନେଇ ତପୁଙ୍କ ବଡ଼ ଭଉଣୀ ଧ୍ରୁତିଦୀପା ଗଣମାଧ୍ୟମରେ କହିଥିଲେ । ପରେ ସେ ଆର୍ଥିକ ସହାୟତା ଯୋଗାଇବାକୁ ନିବେଦନ କରିଥିଲେ । ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା । ନିକଟରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମଧ୍ୟ ଏକ ଲକ୍ଷ ଟଙ୍କା ତପୁଙ୍କ ଚିକିତ୍ସା ପାଇଁ ସହାୟତା ଦେଇଥିଲା । ତାଙ୍କ ସ୍ବାସ୍ଥ୍ୟର ଉନ୍ନତି ଲାଗି ଓଲିଉଡର ଜଣାଶୁଣା ଅଭିନେତା, କଳାକାର ଓ ଗାୟକ ପ୍ରମୁଖ ପ୍ରାର୍ଥନା କରିଥିଲେ । ମାତ୍ର ଶେଷରେ ତପୁଙ୍କ ଦେହାନ୍ତ ଘଟିଛି । ଗତ 2 ବର୍ଷ ତଳେ ତପୁ ମିଶ୍ର ବିବାହ କରିଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ