ଭୁବନେଶ୍ବର:ଆସୁଛି ନୂଆ ସିନେମା । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାଁରେ ସିନେମାର ନାମକରଣ କରାଯାଇଥିବାବେଳେ ଏହାର ଅଡିଓ ରେକର୍ଡିଂ କାମ ଆରମ୍ଭ ହୋଇଛି । ଏକ ବଳିଷ୍ଠ ପ୍ରେମ କାହାଣୀକୁ ନେଇ ସିନେମାଟି ଆସୁଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ସିନେମାର ନାଁ ରହିଛି ' ଲିଙ୍ଗରାଜ ମନ୍ଦିର' । ଅନେକ ବର୍ଷ ତଳର ଐତିହ୍ୟ ଏଥିରେ ସ୍ଥାନ ପାଇଛି । ଖାଲି ସେତିକି ନୁହେଁ ଏଥିରେ ଏକ ନିଆରା ପ୍ରେମ କାହାଣୀକୁ ଚିତ୍ରଣ କରାଯାଇଛି ।
ଚଳଚ୍ଚିତ୍ରରେ ଲିଙ୍ଗରାଜ ମନ୍ଦିର ନିକଟରେ ଖୋଳିବା ସମୟରେ ଏକ ପଥର ମୂର୍ତ୍ତି ମିଳୁଛି। ପରବର୍ତ୍ତୀ ସମୟରେ ସେହି ମୂର୍ତ୍ତିର ପ୍ରାଚୀନ ଇତିହାସ ଜଣାପଡୁଛି । ମୂର୍ତ୍ତିଟି କାହାର ଏବଂ ମାଟି ତଳେ ତାହାକୁ କାହିଁକି ଓ କିଏ ପୋତିଥିଲା ତାହା ସିନେମାର ଶେଷ ଯାଏଁ ଦେଖିଲେ ଜଣାପଡ଼ିବ । ତେବେ ସିନେମାରେ ପ୍ରେମ, ପ୍ରଣୟ ସହ ବଳିଷ୍ଠ ନାଟକୀୟ ପୃଷ୍ଠଭୂମି ରହିଥିବା ଜଣାପଡିଛି । ସବୁଠାରୁ ବଡ଼ କଥା ହେଲା, କାହାଣୀରେ ସଙ୍ଗୀତକୁ ଅଧିକ ଗୁରୁତ୍ବ ମିଳିଛି ।
ସିନେମାରେ ୬ଟି ଗୀତ ରହିଥିବା ବେଳେ ଗୁଡଲୀ ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସେହିଭଳି ସିନେମାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସାଉଥ୍ ସିନେମାର ନିର୍ଦ୍ଦେଶକ ରବି ରୟାଲ । ଏ.ସଞ୍ଜୁଙ୍କ ପ୍ରଯୋଜିତ ଏହି ସିନେମାରେ ରାଜଶେଖର ପ୍ରଯୋଜକ ରହିଛନ୍ତି । ଓଡ଼ିଆ ସିନେମାରେ ପୁଞ୍ଜି ନିବେଶ କରିବାକୁ ଓଡ଼ିଆ ପ୍ରଯୋଜକ ପଛଘୁଞ୍ଚା ଦେଉଥିବାବେଳେ ଏଥିରେ ଦକ୍ଷିଣ ଭାରତ ଓ ବମ୍ବେରୁ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଯୋଡ଼ି ଦେଖିବାକୁ ମିଳିଛି ।