ଭୁବନେଶ୍ବର:ବାହାରିନର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତ ଶ୍ରମିକ ଜଣଙ୍କ ହେଲେ ଗଞ୍ଜାମର ସୀମାଞ୍ଚଳ ରାଉତ । କାମ କରୁଥିବା ବେଳେ ବ୍ରେନ ହାମରେଜର ଶିକାର ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସୀମାଞ୍ଚଳ । ତାଙ୍କୁ ବାହାରିନର ସଲମାନିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାହାରିନ ଓଡ଼ିଆ ସମାଜ ଅଧ୍ୟକ୍ଷଙ୍କ ପକ୍ଷରୁ ସୀମାଞ୍ଚଳଙ୍କ ଚିକିତ୍ସା ଲାଗି ସମସ୍ତ ପ୍ରୟାସ କରାଯାଉଛି ।
ବିଦେଶରେ ଓଡ଼ିଆ ଶ୍ରମିକ ଗୁରୁତର । ବାହାରିନର ଘରୋଇ ସଂସ୍ଥା ଏନଏସଏଚ କର୍ପୋରେସନରେ କାର୍ଯ୍ୟ କରୁଥିଲେ ସୀମାଞ୍ଚଳ । ଗତ 18 ତାରିଖ ଦିନ ହଠାତ ସ୍ନାୟୁଗତ ଆକ୍ରମଣର ଶିକାର ହୋଇ ତଳେ ପଡିଯାଇଥିଲେ । ପ୍ରବଳ ରକ୍ତସ୍ରାବ ଯୋଗୁଁ ସେ ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଅସୁନଥିଲା । କିଛିଦିନ ପରେ ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟାଳୟ ପକ୍ଷରୁ ବାହାରିନ ଓଡ଼ିଆ ସମାଜର ଅଧ୍ୟକ୍ଷ ଡ଼. ଅରୁଣ କୁମାର ପ୍ରହରାଜଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ଅରୁଣ ତୁରନ୍ତ ହସ୍ପିଟାଲରେ ପହଁଚି ସୀମାଞ୍ଚଳଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ସୀମାଞ୍ଚଳ କାର୍ଯ୍ୟ କରୁଥିବା ସଂସ୍ଥା ସହିତ ସମନ୍ବୟ ରକ୍ଷା କରିଥିଲେ । ଏହା ପରେ ସୀମାଞ୍ଚଳଙ୍କୁ ସଲମାନିଆ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।