ଭୁବନେଶ୍ବର: ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଓଡ଼ିଆ ମହିଳା ହକି ଅଲମ୍ପିଆନ ନମିତା ଟପ୍ପୋ (Namita Toppo announces retirement) । ଏହାକୁ ନେଇ ହକି ଇଣ୍ଡିଆ ଓ ଓଡ଼ିଶା କ୍ରୀଡ଼ା ବିଭାଗ ପକ୍ଷରୁ ଟ୍ବିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ଦଳରେ ମିଡ୍ଫିଲ୍ଡର ଭାବରେ ୧୫୦ ମ୍ୟାଚ୍ ଖେଳିଛନ୍ତି ନମିତା ଟପ୍ପୋ ।
୨୦୧୨ ମସିହାରେ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ ନମିତା (Odia international hockey player Namita Toppo) । ଦୀର୍ଘ ଦଶ ବର୍ଷ ଧରି ଭାରତୀୟ ଦଳର ସଦସ୍ୟ ରହିବା ପରେ ଆଜି ସେ ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଛନ୍ତି । ୨୦୧୪ ଓ ୨୦୧୮ରେ ଭାରତୀୟ ଦଳ ଏସିଆନ୍ ଚମ୍ପିଆନ୍ସିପ୍ରେ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ହାସଲ କରିଥିଲା । ଏହି ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ ମିଡ୍ଫିଲ୍ଡର ନମିତା ଟପ୍ପୋ ।
ନମିତା ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି, "ଗତ ୧୦ ବର୍ଷ ମୋ ଜୀବନର ସର୍ବୋତ୍କୃଷ୍ଟ ବର୍ଷ । ମୁଁ ଦିନେ ଦେଶ ପାଇଁ ଖେଳିବାକୁ ସ୍ବପ୍ନ ଦେଖିଥିଲା, ମୁ ଖୁସି ଯେ, ମୁଁ ମୋର ସ୍ବପ୍ନ ପୂରଣ କରି ପାରିଛି । ଗତ ଦଶନ୍ଧୀରେ ଭାରତୀୟ ଦଳ ଯେଭଳି ଉଚ୍ଚକୋଟିର ପ୍ରଦର୍ଶନ କରିଛି, ତାହା ମୁଁ ନିଜ ଆଖିରେ ଦେଖିଛି । ମୁଁ ସବୁବେଳେ ଦଳକୁ ସମର୍ଥନ ଦେଉଥିବି । ବର୍ତ୍ତମାନ ମୁଁ ମୋ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି ।"
ସୁନ୍ଦରଗଡ଼଼ର ସୁନା ଝିଅ ହେଉଛନ୍ତି ନମିତା ଟପ୍ପୋ । ରାଉରକେଲାସ୍ଥିତ ପାନ୍ପୋଶ୍ ସ୍ପୋର୍ଟସ୍ ହଷ୍ଟେଲ୍ରେ ରହି ସେ ରାଜ୍ୟ ପାଇଁ ଖେଳିବାର ସୁଯୋଗ ହାସଲ କରିଥିଲେ । ପ୍ରଥମ ଥର ପାଇଁ ସେ ୨୦୦୭ ମସିହାରେ ଓଡ଼ିଶା ଦଳରେ ଡେବ୍ୟୁ କରିଥିଲେ । ଉଚ୍ଚକୋଟିର ପ୍ରଦର୍ଶନ ଯୋଗୁଁ ଖୁବ୍ଶୀଘ୍ର ସେ ଏସିଆ କପ୍ ପାଇଁ ଭାରତୀୟ ୧୮ ବର୍ଷରୁ କମ୍ ଦଳରେ ସାମିଲ ହୋଇଥିଲେ । ଏହାପରେ ୨୦୧୧ରେ ଥାଇଲାଣ୍ଡ୍ରେ ହୋଇଥିବା ଏସିଆ କପ୍ରେ ଭାରତୀୟ ୧୮ ବର୍ଷରୁ କମ୍ ମହିଳା ଦଳ କାଂସ୍ୟ ପଦକ ହାସଲ କରିଥିଲା । ଏହା ସଦସ୍ୟ ଥିଲେ ନମିତା ଟପ୍ପୋ । ଏହାପରେ ସେ ୨୦୧୨ରେ ଡବ୍ଲିନ୍ FIH ଚମ୍ପିଆନ୍ସ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିଲେ ।