ଭୁବନେଶ୍ବର: ରାଜ୍ୟରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ । ସଂରକ୍ଷଣ ପ୍ରସଙ୍ଗରେ ପୂର୍ବରୁ ଭୁଆଁ ବୁଲାଉଥିବା ରାଜ୍ୟ ସରକାର ବର୍ତ୍ତମାନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖିଥିବା ରାଜ୍ୟ ସରକାର ୫୪ ପ୍ରତିଶତ ଓବିସି ବର୍ଗକୁ ଅଣଦେଖା କରୁଛନ୍ତି । ତାଙ୍କୁ ସାମ୍ବିଧାନିକ ଅଧିକାର, ଶିକ୍ଷା, ଚାକିରୀରୁ ଆଦି କ୍ଷେତ୍ରରେ ବଂଚିତ ରଖୁଛନ୍ତି । ନିର୍ବାଚନ ଆସିଲେ କୁମ୍ଭୀର କାନ୍ଦଣାର ଛଳନା କରି ଭ୍ରମିତ କରୁଛନ୍ତି । ରାଜ୍ୟ ସରକାରଙ୍କ ବାସ୍ତବରେ ଓବିସିଙ୍କ ବିକାଶ ପାଇଁ କୈାଣସି ଇଚ୍ଛାଶକ୍ତି ନାହିଁ । ଏହା କହିଛନ୍ତି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ ।
ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୁରଥ କହିଛନ୍ତି ଯେ, ମଧ୍ୟପ୍ରଦେଶ ସରକାର ନିଜ ପ୍ରତିବଦ୍ଧତା କାରଣରୁ ଓବିସିଙ୍କୁ ସଂରକ୍ଷଣ ଦେବାରେ ସଫଳ ହୋଇଛନ୍ତି । ଓଡିଶା ସରକାରଙ୍କ ଇଚ୍ଛାକୃତ ଭାବେ ସଂଖ୍ୟାଧିକ ଓବିସିବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରିଛନ୍ତି । ଗତ ଓଡିଶା ପଂଚାୟତ ନିର୍ବାଚନର ବହୁ ପୂର୍ବରୁ ମଧ୍ୟପ୍ରଦେଶ ରାଜ୍ୟରେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା । ଯଦିଓ ମଧ୍ୟପ୍ରଦେଶରେ ଓବିସି ବର୍ଗଙ୍କ ସଂଖ୍ୟା ଓଡିଶା ରାଜ୍ୟରୁ କମ୍ ତଥାପି ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ବିନା ଓବିସି ସଂରକ୍ଷଣରେ ନିର୍ବାଚନ କରିବୁ ନାହିଁ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଥିଲେ ।
ଓଡିଶା ସରକାର ଏହି ସମୟରେ ରାଜ୍ୟରେ ଓବିସି ବର୍ଗଙ୍କ ସଂଖ୍ୟା ଓ ଅନୁପାତ ସଂପର୍କିତ କୈାଣସି ତଥ୍ୟ ନାହିଁ ବୋଲି ହାଇକୋର୍ଟଙ୍କୁ ଅବଗତ କରାଇଥିଲେ । ଗତ ୩ ଦିନ ତଳେ ମଧ୍ୟପ୍ରଦେଶରେ ଓବିସିବର୍ଗଙ୍କୁ ସଂରକ୍ଷଣ ଦେଇ ପଂଚାୟତ ନିର୍ବାଚନ ଅନୁଷ୍ଠିତହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ପଟେ ଓବିସିଙ୍କ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ପ୍ରତିବଦ୍ଧତା ଦେଖିବାକୁ ମିଳୁଥିବାବେଳେ ଅନ୍ୟ ପଟେ ଓଡିଶା ସରକାରଙ୍କ ଓବିସି ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ଓବିସିବର୍ଗଙ୍କୁ ଶକ୍ତ ଆଘାତ ଦେଇଛି ବୋଲି ସେ କହିଛନ୍ତି । ଓବିସି କମିଶନକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଓବିସି କମିଶନ ଗୋଟିଏ ସାମ୍ବିଧାନିକ ପଦବୀ ।