ଭୁବନେଶ୍ବର: ବିଡିଓଙ୍କୁ ମାଡ ଅଭିଯୋଗ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଭେଟିଛି ଓଏଏସ ସଂଘ । ଅଫିସରଙ୍କ ସୁରକ୍ଷା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ସଂଘ । ଦେବଗଡରେ ଆନ୍ଦୋଳନ ଆଗାମୀ ଦିନରେ ସ୍ଥିତିକୁ ବିଗାଡିବା ସହ ଅଧିକାରୀମାନେ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରିଛି ସଂଘ । ଏନେଇ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଛି ।
ଓଏଏସ ସଂଘର ସମ୍ପାଦକ ଜ୍ୟୋତି ରଞ୍ଜନ ମିଶ୍ର କହିଛନ୍ତି ଯେ, ବିଡିଓଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବିଧାୟକ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରିଥିଲୁ । ସରକାର ଆମ ଦାବି ରଖିଛନ୍ତି । ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରିଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ଦାବି ଦୋହରାଇଛୁ । ବିଭିନ୍ନ ସ୍ଥାନରେ ବିଡିଓ, ତହସିଲଦାର, ଉପ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳମାନେ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସମୟରେ ବହୁ ନ୍ୟସ୍ତ ସ୍ବାର୍ଥ ଲୋକ ଏହାକୁ ବିରୋଧ କରୁଛନ୍ତି ।
ଏଭଳି ଘଟଣା ରାଜ୍ୟର ଅନ୍ୟ ସ୍ଥାନରେ ଯେପରି ପୁନରାବୃତ୍ତି ନହୁଏ, ସେ ନେଇ ପଦକ୍ଷେପ ନେବାକୁ ଦାବି କରିଛୁ । ଉଭୟ ବରିଷ୍ଠ ଅଧିକାରୀ ସଂଘର କଥା ସହୃଦୟତାର ସହ ଶୁଣିଛନ୍ତି । ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଆବଶ୍ୟକତା ଅନୁସାରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସରକାର ବିଧାୟକଙ୍କୁ ଗିରଫ କରିବାକୁ ତତ୍କାଳ ପଦକ୍ଷେପ ନେଇଥିବାରୁ ସଂଘ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ଅଧିକ କାର୍ଯ୍ୟ କରିବା ଲାଗି ପ୍ରୋତ୍ସାହନ ଦେବାକୁ ସଂଘ ଦାବି କରିଛି ।