ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପରିସରରେ ଧାରଣା ଦେଲେ ନର୍ସିଂ ଛାତ୍ରଛାତ୍ରୀ । ବିଶ୍ବବିଦ୍ୟାଳୟର ପରିଚାଳନା ଦାୟିତ୍ବ ଶୁଶୃତମ ଉତ୍କଳ ହେଲଥ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟକୁ ଦିଆଯାଇଥିବାରୁ ଏହାକୁ ନେଇ ହୋଇଛି ପ୍ରତିବାଦ । ଛାତ୍ରଛାତ୍ରୀ ବିଭାଗର ପରିଚାଳନା ଦାୟିତ୍ଵ ଟ୍ରଷ୍ଟ ପାଖରୁ କାଢି ନିଜେ ବିଶ୍ଵବିଦ୍ୟାଳୟ ନେବା ଦାବିରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।
ଚଣ୍ଡିଖୋଲରେ ଥିବା ଉତ୍କଳ ବିଶ୍ଵବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସରେ 2 ବର୍ଷ ହେବ ବିଏସସି ନର୍ସିଂ କୋର୍ସ ଆରମ୍ଭ ହୋଇଛି । ହେଲେ ଏହାର ପରିଚାଳନା ଦାୟିତ୍ବ ଶୁଶୃତମ ଉତ୍କଳ ହେଲଥ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟକୁ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଟ୍ରଷ୍ଟ ପିଲାଙ୍କ ଠାରୁ ବାର୍ଷିକ 75 ହଜାର ଟଙ୍କା କୋର୍ସ ଫି ନେଉଥିବା ବେଳେ କୌଣସି ସୁବିଧା ସୁଯୋଗ ଦେଉନାହିଁ । ଏମିତିକି ମାତ୍ର 3 ଜଣ ଷ୍ଟାଫ ଥିବାରୁ କ୍ଳାସ୍ ମଧ୍ୟ ନିୟମିତ ହେଉନି କି କୋର୍ସ ସରୁନି । 2 ବର୍ଷ ବିତିଥିଲେ ବି କ୍ଲିନିକ ଶିକ୍ଷାରୁ ବି ବଞ୍ଚିତ ଛାତ୍ରଛାତ୍ରୀ । ଏହାବାଦ୍ ଲାଇବ୍ରେରୀ, ହଷ୍ଟେଲ ଓ ଖାଇବା ପିଇବା ଅସୁବିଧା ମଧ୍ୟ ଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।