ଭୁବନେଶ୍ବର: ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-5 ରିପୋର୍ଟ ପ୍ରକାଶିତ ହୋଇଛି । ରିପୋର୍ଟରେ ଏକାଧିକ ଚମକାଇ ଦେଲା ଭଳି ତଥ୍ୟ ରହିଛି । ରାଜ୍ୟରେ କନ୍ୟା ଭୃଣ ହତ୍ୟା ବଢୁଥିବା ଯୋଗୁଁ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମୁଛି । ଆଉ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ନିଜ ମନ୍ତବ୍ୟ ରଖିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ।
ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ (Odisha State Commission For Protection Of Child Rights) ଙ୍କ ସୂଚନା ଅନୁସାରେ ଲିଙ୍ଗଗତ ବୈଷମ୍ୟତା ଦୂର କରିବା ପାଇଁ କମିଶନ ପକ୍ଷରୁ ସଚେତନତା କରାଯାଉଛି । ଯେଉଁ ସବୁ ଜିଲ୍ଲା ଗୁଡିକରେ ପୁଅଙ୍କ ତୁଳନାରେ ଝିଅ କମ ରହିଛନ୍ତି ସେଠାରେ ବିଭିନ୍ନ ଅନୁଷ୍ଠାନ କାମ କରୁଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ବିଜୁ କନ୍ୟାରତ୍ନ ଯୋଜନା ମଧ୍ୟ ପ୍ରଣୟନ କରାଯାଇଛି । ଗଞ୍ଜାମ ଓ ଅନୁଗୁଳ ସମେତ ୬ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲିଛି । କନ୍ୟା ଭୃଣ ହତ୍ୟା ବଢୁଥିବା ଯୋଗୁଁ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମୁଛି । ଯେଉଁ ଲୋକ ମାନଙ୍କ ମଧ୍ୟରେ ଏବେ ବି ପୁଅ ଓ ଝିଅ ମାନଙ୍କ ଅସମାନତା ନେଇ ଭ୍ରାନ୍ତ ଧାରଣା ଅଛି । ସେମାନଙ୍କୁ ସଚେତନ କରାଯାଉଛି । ଯେଉଁଠି ସ୍ଥିତି ଚିନ୍ତା ଜନକ ଅଛି , ସେଠାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପରାମର୍ଶ ଦେଉଛନ୍ତି।
ଅନ୍ୟପଟେ ଶିଶୁ ବିଶେଷଜ୍ଞ ରଞ୍ଜନ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ପୁଅ ତୁଳନାରେ ଝିଅଙ୍କ ସଂଖ୍ୟ କମିଛି। ରାଜ୍ୟରେ ଯେତେ ପ୍ରସାର ପ୍ରଚାର କରାଯାଉଥିଲେ ମଧ୍ୟ ଲୋକମାନେ ନିହାତି ଭାବରେ ସଚେତନ ହେବା ଆବଶ୍ୟକ। ଝିଅ ଗୋଟିଏ ବୋଝ ଝିଅ ହେଲେ ଆଗକୁ ଵଂଶ ବୃଦ୍ଧି ହେବ ନାହିଁ ଏଭଳି ମନଭାବ ରହିଲେ ଝିଅଙ୍କ ସଂଖ୍ୟା କମିବ ବୋଲି କହିଛନ୍ତି।