ଭୁବନେଶ୍ବର: ଲକ୍ଡାଉନ୍ ପରେ ବଢିପାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ! ତାସହ ତାଳ ଦେଇ ବଢିପାରେ ନିର୍ଯାତନା ! ଲକ୍ଡାଉନ୍ ଲାଗି ଅଧିକାଂଶ ଲୋକ ନିଜର ଜୀବିକା ହରାଇଥିବାବେଳେ ସେଥିରେ କିଛି ସଂଖ୍ୟାରେ ଶିଶୁ ଶ୍ରମିକ ମଧ୍ୟ ରହିଛନ୍ତି ।
ହୋଟେଲ, ଇଟାଭାଟି, ଅନ୍ୟ ଘରେ ତଥା ବାହାର ରାଜ୍ୟରେ କାମ କରୁଥିବା ଶିଶୁ ଶ୍ରମିକମାନେ ନିଜର ଜୀବିକା ହରାଇ ଘରେ ରହିଛନ୍ତି । ତେବେ ଏହି ପରିସ୍ଥିତିରେ ଅନେକ ଲୋକଙ୍କ ଜୀବିକା ଯାଇଥିବାରୁ ସେମାନଙ୍କ ଶିଶୁମାନେ ମଧ୍ୟ ପରିବାରର ଆର୍ଥିକ ଅନଟନକୁ ଦୂରେଇବା ପାଇଁ ଶ୍ରମିକ ସାଜିପାରନ୍ତି ଏବଂ ସେମାନଙ୍କୁ ନିର୍ଯାତନାର ଶିକାର ହେବାକୁ ମଧ୍ୟ ପଡିପାରେ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।
ବର୍ତ୍ତମାନ ସମୟର ଆର୍ଥିକ ସଙ୍କଟ ଶିଶୁ ମାନଙ୍କର ନିର୍ଯାତନାର କାରଣ ପାଲିଟିଛି । କିଛି ରୋଜଗାର କରୁଥିବା ଶିଶୁଶ୍ରମିକ ମାନେ ଜୀବିକା ହରାଇଥିବାରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥାଇପାରେ ବୋଲି ଶିଶୁ ସୁରକ୍ଷା ବିଶେଷଜ୍ଞ କହିଛନ୍ତି । ସେପଟେ ଲକ୍ଡାଉନ୍ ପରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢିବା ତଥା ସେମାନଙ୍କ ଉପରେ ପଡିବାକୁ ଥିବା ଚାପର ମୁକାବିଲା ପାଇଁ ଶିଶୁ ସୁରକ୍ଷା ଆୟୋଗ ଅଣ୍ଟା ଭିଡିଛି । ଏଦିଗରେ ପଦକ୍ଷେପ ନିଆଯିବ ବୋଲି ଆୟୋଗ ଅଧ୍ୟକ୍ଷା କହିଛନ୍ତି ।
ରାଜ୍ୟରେ 2013 ମସିହାର ଏକ ରିପୋର୍ଟ ଅନୁସାରେ 2.15 ଲକ୍ଷ ଶିଶୁ ଶ୍ରମିକ ଥିଲେ । ଏହାବାଦ୍ ପାଖାପାଖି 10 ଲକ୍ଷ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ 20 ପ୍ରତିଶତ ଶିଶୁ ଶ୍ରମିକ ରହିଥିବାର ବେସରକାରୀ ସଂସ୍ଥା ଗୁଡିକର ରିପୋର୍ଟରୁ ଜଣାପଡେ । ଯେଉଁମାନେ କି ଏବେ ଜୀବିକା ହରାଇଛନ୍ତି । ତେବେ ଏହି ସଂଖ୍ୟା ଲକ୍ଡାଉନ୍ ପରେ ବଢିବା ନେଇ ଆକଳନ କରାଯାଉଥିବାବେଳେ ଶିଶୁ ସୁରକ୍ଷା ଆୟୋଗ ଏହାକୁ କେତେ କମାଉଛି ତାହା ଦେଖିବାର କଥା ।