ଭୁବନେଶ୍ବର:ଆନେମିଆ ବା ରକ୍ତହୀନତା(Anemia)କୁ ନେଇ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ-5ର ତଥ୍ୟ ସରକାରଙ୍କ ନିଦ ହଜାଇ ଦେଇଛି । ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟର ବିକାଶ ଦିଗରେ ସରକାରଙ୍କ ଅନେକ ଯୋଜନା କରୁଛନ୍ତି । ରାଜ୍ୟରେ ମୋଟ ଶିଶୁ ଓ ମହିଳାଙ୍କ ଭିତରୁ ଅଧିକାଂଶ ଏବେ ବି ପୃଷ୍ଟିହୀନତା ଓ ରକ୍ତହୀନତାରେ ପୀଡ଼ିତ ହେଉଛନ୍ତି । 5 ବର୍ଷରେ ବଢିଛି 20 ପ୍ରତିଶତ ରକ୍ତହୀନତା ।
ରାଜ୍ୟର 6 ମାସରୁ 5ବର୍ଷ ବୟସର ଶିଶୁଙ୍କ ମଧ୍ୟରୁ ପ୍ରାୟ 64.2 ପ୍ରତିଶତ ରକ୍ତହୀନତାରେ ଆକ୍ରାନ୍ତ ହେଉଛନ୍ତି । ଏହାର 5ବର୍ଷ ପୂର୍ବରୁ 2015-16ରେ ହୋଇଥିବା ସର୍ଭେରେ ଏହି ଅନୁପାତ ଥିଲା 44.6 ପ୍ରତିଶତ । ସେହିପରି 15 ରୁ 49 ବର୍ଷ ବୟସ୍କା ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା 64.4 ପ୍ରତିଶତ ରହିଥିବା ବେଳେ ଏହି ବୟସର ଗର୍ଭବତୀଙ୍କ କ୍ଷେତ୍ରରେ ରକ୍ତହୀନତା ହାର ହେଉଛି 61.8 ପ୍ରତିଶତ । ତେବେ 15 ରୁ 19 ବର୍ଷ ବୟସର କିଶୋରୀଙ୍କ ମଧ୍ୟରେ ରକ୍ତହୀନତା ହାର ପ୍ରାୟ 65.5 ପ୍ରତିଶତ ରହିଛି ।
15 ରୁ 49 ବର୍ଷ ବୟସର ପୁରୁଷଙ୍କ କ୍ଷେତ୍ରରେ 28.5 ଏବଂ 15 ରୁ 19 ବର୍ଷର କିଶୋରଙ୍କ ମଧ୍ୟରେ ପ୍ରାୟ 30 ପ୍ରତିଶତ ରକ୍ତହୀନତାରେ ଆକ୍ରାନ୍ତ ହେଉଛନ୍ତି । ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳରେ ଅଧିକ ସଂଖ୍ୟାରେ ରକ୍ତହୀନତା ରୋଗରେ ପୀଡିତ ହେଉଛନ୍ତି । ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନୁହେଁ ବରଂ ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ବି ରକ୍ତହୀନତାର ବିକଳ ଚିତ୍ର ଦେଖିବାକୁ ମିଳିଛି । 6 ରୁ 9 ମାସର ଶିଶୁଙ୍କ ଭିତରେ ରକ୍ତହୀନତାର ପରିମାଣକୁ ଅନୁଶୀଳନ କଲେ ଜଣାଯାଏ ଯେ ରାଜ୍ୟର ମାଲକାନଗିରି ଜିଲ୍ଲାରେ 78.7%, ଏହା ସର୍ବାଧିକ । ବାଲେଶ୍ଵରରେ ସର୍ବନିମ୍ନ 43 ପ୍ରତିଶତ।