ଓଡିଶା

odisha

ETV Bharat / city

‘ବିକାଶର ନୂଆ ଇତିହାସ ଲେଖୁଛି ନୂଆପଡା’ - ଭେଲାର ସଂଗ୍ରାମୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହା ସହ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

By

Published : Mar 10, 2021, 1:56 PM IST

ଭୁବନେଶ୍ବର: ସ୍ଵାଧୀନତା ସଂଗ୍ରାମରେ ନୂଆପଡାର ବହୁତ ବଡ ଭୂମିକା ଥିଲା । ବିଶେଷ କରି ଆମର ମା’ ମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ । ବ୍ରିଟିଶ ଶାସନର ଅନ୍ୟାୟ ବିରୁଦ୍ଧରେ ସେମାନଙ୍କ ସଂଗ୍ରାମର ତୁଳନା ନାହିଁ । ନୂଆପଡା ଭେଲା ଗାଁ’ର ମା’ମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କୁ ପ୍ରେରଣା ଦେଉଛି ବୋଲି କହି ନୂଆପଡାରେ ସଂଗ୍ରାମୀ ମା’ମାନଙ୍କୁ ପ୍ରଣାମ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2022 ରେ ଆମେ ସ୍ଵାଧୀନତାର 75 ବର୍ଷ ପାଳନ କରୁଛୁ । ଭେଲାର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । 1993ରେ ବିଜୁବାବୁ ନୁଆପଡାକୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ । ସେତେବେଳେ କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ ? ସେତେବେଳେ ବିଜୁବାବୁ କହିଥିଲେ, “ନୂଆପଡା ଓଡିଶା ମା’ର ସବୁଠାରୁ ସାନ ପିଲା । ସେ ପୁଣି ଦୂରରେ ଅଛି ।’ ସବୁ ବାପା ମା ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି, ମୁଁ ମଧ୍ୟ ସେପରି ନୂଆପଡାକୁ ସ୍ଵତନ୍ତ୍ର ଧ୍ୟାନ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ନୂଆପଡାର ରୂପାନ୍ତରକୁ ଆପଣମାନେ ଦେଖି ପାରୁଛନ୍ତି । ଅନୁଭବ କରିପାରୁଛନ୍ତି । ବିଜୁ ଏକ୍ସପ୍ରେସ ୱେରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । 680 କୋଟି ଟଙ୍କାରେ 132କି.ମି ରାସ୍ତା କେବଳ ନୂଆପଡାରେ ହିଁ ହୋଇଛି । ନୂଆପଡାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାଜ୍ୟର ବଡ ବଡ ସହରର ହସ୍ପିଟାଲ ମାନଙ୍କଠାରୁ କିଛି କମ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଗତ ଦଶ ବର୍ଷ ଭିତରେ ଆମେ ହଜାର ହଜାର ଶିଶୁଙ୍କ ଜୀବନ ବଞ୍ଚାଇ ପାରିଛୁ । ନୂଆପଡାରେ ଶିଶୁ ମୃତ୍ୟୁ ହାର ବହୁତ କମିଛି । ମା’ମାନଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ନୂଆପଡା ବହୁତ ଭଲ କାମ କରିଛି । ନୂଆପଡାର ପାଣିରେ ରହିଛି ଫ୍ଲୋରାଇଡ଼ର ସମସ୍ୟା । ଏହା ହେଉଛି ଜିଲ୍ଲାବାସୀଙ୍କ ବଡ ସମସ୍ୟା । ଫ୍ଲୋରାଇଡ଼ ପାଣି ଦ୍ଵାରା ସ୍ବାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ଭଲ ପିଇବା ପାଣି ପାଇଁ ମା’ମାନଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଥିଲା । ଏଥିପାଇଁ ତାଙ୍କୁ ବହୁତ ଦୁଃଖ ଲାଗୁଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ନୂଆପଡାର 55 ପ୍ରତିଶତ ଘରକୁ ଆମେ ପାଇପ ପାଣି ଦେଇ ପାରିଛୁ । 1000 ରୁ ଅଧିକ ଫ୍ଲୋରାଇଡ଼ ରିମୁଭାଲ ପ୍ଲାଣ୍ଟ ସ୍ଥାପନ କରାଯାଇଛି । 900 ରୁ ଅଧିକ ଗାଁକୁ ଫ୍ଲୋରାଇଡ଼ ସମସ୍ୟାରୁ 100 ପ୍ରତିଶତ ମୁକ୍ତ କରାଯାଇ ପାରିଛି । କେବଳ ସେତିକି ନୁହେଁ, ନୂଆପଡାର ଏକ ଲକ୍ଷ ପରିବାରକୁ ପାଇପ ପାଣିର ସୁବିଧା ମଧ୍ୟ ଦିଆଯାଇଛି । 2022 ସୁଧା ନୂଆପଡାର ସବୁ ପରିବାରକୁ 100 ପ୍ରତିଶତ ପାଇପ ପାଣି ଯୋଗାଇ ଦିଆଯିବ । ଏଥିପାଇଁ 700କୋଟି ଟଙ୍କାର 205 ଟି ପାଇପ ପାଣି ଯୋଗାଣ ପ୍ରକଳ୍ପ ଓ ଗୋଟିଏ ବୃହତ ପାଇପ ପାଣି ଯୋଗଣ ପ୍ରକଳ୍ପ କାମ ଚାଲିଛି ବୋଲ ସେ କହିଛନ୍ତି ।

ଅନ୍ୟପଟେ ଲୋୟର ଇନ୍ଦ୍ର ପ୍ରକଳ୍ପ ସାରା ରାଜ୍ୟ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ । ଏ ପ୍ରକଳ୍ପ ପାଇଁ ଜମି ଦେଇଥିବା ସବୁ ଲୋକଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଆପଣ ମାନଙ୍କ ତ୍ୟାଗ ପାଇଁ ନୂଆପଡାର କୋମନା, ଖଡିଆଳ ଓ ବଲାଙ୍ଗିରର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକର 200 ଟି ଗାଁର 1 ଲକ୍ଷ 80 ହଜାର ଲୋକ ଉପକାର ପାଇବେ । ନୂଆପଡାରେ 220 କୋଟି ଟଙ୍କାର ବୃହତ ଲିଫ୍ଟ ଜଳସେଚନ ପ୍ରକଳ୍ପ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ । ଏହା ଦ୍ବାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର 18 ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଲୋୟର ଇନ୍ଦ୍ର ପ୍ରକଳ୍ପ Underground Pipeline Technology ରେ ହୋଇଛି । ତେଣୁ ଏହି ପ୍ରକଳ୍ପରୁ ଆଉ 7500 ଏକର ଜମିକୁ ପାଣି ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ନୂଆପଡା ଥିଲା ଚିର ମରୁଡି ଅଞ୍ଚଳ । ଆଜି ଏଠାରେ ନୂଆ ସବୁଜିମା ସୃଷ୍ଟି ହେଉଛି । ଆଜି ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି । ବିକାଶର ଏ ଯାତ୍ରାରେ ଆପଣମାନଙ୍କ ଅବଦାନ ରହିଛି । ନୂଆପଡାରେ ଜଳସେଚନ ସୁବିଧା ବଢିଛି । ନୂଆପଡାରେ ଜଳସେଚନ ସୁବିଧା 54 ପ୍ରତିଶତ ବଢିଛି । ଜିଲ୍ଲା ଦେଢ ଲକ୍ଷ ଏକର ଜମିକୁ ଆଜି ପାଣି ସୁବିଧା ମିଳିଛି । ଧାନ, କପା, ମକା ଚାଷ ଉତ୍ପାଦନ ବଢିଛି ବୋଲି ମଧ୍ୟ ନବୀନ ଦର୍ଶାଇଛନ୍ତି ।

ଲୋୟର ଇନ୍ଦ୍ର ଡ୍ୟାମ ସାଇଟରେ ଏକ ସାଇନ୍ସ ପାର୍କ ଓ ମ୍ୟୁଜିୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥି ପାଇଁ 3 କୋଟି ଟଙ୍କା ଖର୍ଚ୍ଚ ହେବ । ପିଲାମାନଙ୍କ ଭିତରେ ବିଜ୍ଞାନ ପ୍ରତି ଆଗ୍ରହ ବଢିବ । ଜଳ ସଂରକ୍ଷଣ ପାଇଁ ସଚେତନତା ମଧ୍ୟ ସୃଷ୍ଟି ହେବ । ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ବହୁତ ଆଗକୁ ଯାଇଛି । ରାଜ୍ୟରେ ସ୍ପୋର୍ଟସ ଆକଟିଭିଟି ସହିତ ନୂଆପଡା ଯୋଡି ହେବ । ସେହିପରି ନୂଆପଡା ଓ ଖଡିଆଳ ଏ ଦୁଇ ଜାଗାରେ ଦୁଇଟି ଇନଡୋର ଷ୍ଟାଡିୟମ କରାଯିବ । ଖଡିଆଳ ଅଟୋନମସ କଲେଜରେ ସ୍ପୋର୍ଟ୍ସ ଫାସିଲିଟିର ବିକାଶ କରାଯିବ ବୋଲି ନବୀନ କହିଛନ୍ତି ।

ଏହା ଜିଲ୍ଲାର ଖେଳ ଭିତ୍ତିଭୂମିକୁ ମଜଭୁତ କରିବ ଓ ଯୁବକ ଯୁବତୀ ମାନଙ୍କ ପ୍ରତିଭାର ବିକାଶରେ ସହାୟକ ହେବ । ବିଜୁବାବୁଙ୍କର ସେଦିନର ସାନ ପିଲା ‘ନୂଆପଡା’ ଆଜି ବଡ ହୋଇଛି । ସଶକ୍ତ ହୋଇଛି । ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥିପାଇଁ ମୁଁ ବହୁତ ଖୁସି । ନୂଆପଡାରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ ଆଜି ନୂଆପଡାରେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details