ଭୁବନେଶ୍ବର: ଚାରିଆଡେ କୋରୋନାର ଡର । ସମସ୍ତଙ୍କୁ ନିଜ ଘର ପରିବାରର ଚିନ୍ତା । ନିଜ ଲୋକଙ୍କ ଶାନ୍ତି ଓ ସୁରକ୍ଷା ସମସ୍ତଙ୍କ କାମନା । ବାହାରେ ଥିବା ନିଜ ପ୍ରିୟ ପରିଜନଙ୍କ ଚିନ୍ତା ସମସ୍ତଙ୍କୁ ଘାରିଛି । କିଏ କିପରି ଅବସ୍ଥାରେ ଅଛନ୍ତି । ସୁରକ୍ଷିତ ଅଛନ୍ତି ନା ନାହିଁ । ସବୁଦିନ ଏହି ଚିନ୍ତା ଓ ଭୟ ମନରେ ବସା ବାନ୍ଧୁଛି ।
ଆଉ ଏଥିରେ ଛଟପଟ ହେଉଛନ୍ତି ବିଦେଶରେ ଥିବା ପ୍ରବାସୀ ଓଡିଆ । ରାଜ୍ୟରେ ସ୍ଥିତି ସାମାନ୍ୟ ନିୟନ୍ତ୍ରଣରେ ଅଛି । ହେଲେ ବିଦେଶରେ ଅବସ୍ଥା ସଙ୍ଗୀନ । ଯାହାକୁ ନେଇ ଆତଙ୍କିତ ହୋଇଛନ୍ତି ପ୍ରବାସୀ ଓଡିଆଙ୍କ ଘରଲୋକେ । ଏବେ ବି ବିଦେଶରେ ଅଛନ୍ତି ଅନେକ ଓଡିଆ । ଜାରି ରଖିଛନ୍ତି ସଂଗ୍ରାମ । ସାମନା କରୁଛନ୍ତି କୋରୋନାର ପ୍ରକୋପ । ହେଲେ ଭୟଭୀତ ନହୋଇ କରୁଛନ୍ତି ମୁକାବିଲା । କିଏ ଘରେ ରହି ଅଫିସ କାମ ଜାରି ରଖିଥିବା କିଏ ମନେପକାଉଛନ୍ତି ଓଡିଶା । କାରଣ ଦୁରରେ ଥାଇ ବି ଭୁଲିନାହାନ୍ତି ନିଜ ଲୋକଙ୍କୁ ।
ବିଦେଶରେ ମଧ୍ୟ ଲୋକ ଓଡିଶା ଖବର ରଖୁଛନ୍ତି । ନ୍ୟୁଜ ଓ ଫୋନ ଦ୍ବାରା ଜାଣୁଛନ୍ତି ସ୍ଥିତି । ଭୁବନେଶ୍ବରରେ ପରିବାର ଓ ସାଙ୍ଗସାଥୀଙ୍କ କଥା ଭାବୁଛନ୍ତି ଜର୍ମାନୀର ହାମବର୍ଗ ସହରରେ ଥିବା ଇଞ୍ଜିନିୟର ଲଲାଟେନ୍ଦୁ । ଲକଡାଉନ ପାଇଁ ଘରେ ରହି ଅଫିସ କାର୍ଯ୍ୟ କରୁଛନ୍ତି । ଆଉ ଘର ଲୋକଙ୍କ ସହ କଥା ହୋଇ ମନକୁ ସାନ୍ତନ୍ବା ଦେଉଛନ୍ତି । ତେବେ ପରିବାରରେ ବି ସମାନ ସ୍ଥିତି । ନିଜ ପୁଅର ହାଲଚାଲ ବୁଝିବା ସହ ଟିକେ ଦେହ ଖରାପ ଶୁଣିଲେ ବିଚଳିତ ହୋଇପଡୁଛନ୍ତି ।