ଭୁବନେଶ୍ବର: ରାଜ୍ୟରେ ଥିବା ଶିକ୍ଷିତ ଦିବ୍ୟାଙ୍ଗ ଯୁବକ ଯୁବତୀମାନଙ୍କ ମଧ୍ୟରୁ ମାତ୍ର ୪ ପ୍ରତିଶତଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ନିଯୁକ୍ତିର ସୁଯୋଗ ମିଳିଛି । ହେଲେ ବାକି 96 ପ୍ରତିଶତ ଯୁବକ ଓ ଯୁବତୀ ଏହି ନିଯୁକ୍ତି ସୁଯୋଗରୁ ବାଦ ପଡିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ ଦିବ୍ୟାଙ୍ଗ ଯୁବକଯୁବତୀଙ୍କୁ ନିଯୁକ୍ତି କ୍ଷେତ୍ରରେ ସହଯୋଗ କରିବା ପାଇଁ 'ସାଇଟ ସେଭର୍ସ' ନାମକ ଏକ ଅନୁଷ୍ଠାନ ପକ୍ଷରୁ 'ଇନକ୍ଲ୍ୟୁଡ ଅଲ' କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି କ୍ୟାମ୍ପେନକୁ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ଉଦଘାଟନ କରିଥିଲେ ।
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରିଥିବା ସୁଲୋଚନା କହିଛନ୍ତି । ତଥାପି ସେମାନଙ୍କ ସ୍ଥିତିରେ ଯେଉଁଭଳି ପରିବର୍ତ୍ତନ ଆସିବା କଥା ତାହା ଆସିପାରିନାହିଁ । ତେଣୁ ଏ ଦିଗରେ ସମାଜର ସମସ୍ତ ବର୍ଗର ଲୋକମାନେ ସହଯୋଗ କରିବା ସହ ଦିବ୍ୟାଙ୍ଗମାନେ ସମାଜରେ କିଭଳି ସମ୍ମାନର ସହ ବଞ୍ଚିପାରିବେ ସେ ଦିଗରେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି । ଏତତ୍ ବ୍ୟତୀତ ଦିବ୍ୟାଙ୍ଗମାନେ ମଧ୍ୟ ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ଆତ୍ମନିର୍ଭରଶୀଳ ହେବା ଉଚିତ । ଖାଲି ସେତିକି ନୁହେଁ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସହଯୋଗ କରିବା ଦିଗରେ କାର୍ଯ୍ୟ କରିବାକୁ କହିଛନ୍ତି ।