ଭୁବନେଶ୍ବର:ଏଣିକି ସିଧାସଳଖ ଲୋକଙ୍କ ଦ୍ୱାରା ନିର୍ବାଚିତ ହେବେ ମେୟର ଏବଂ ପୌରାଧ୍ୟକ୍ଷ ।ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ହେବ ପ୍ରତ୍ୟକ୍ଷ ନିର୍ବାଚନ । ବିଜ୍ଞପ୍ତି ଜାରି କରି ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି ନଗର ଉନ୍ନୟନ ବିଭାଗ । ୱାର୍ଡ ସୀମା ନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନାକୁ ନେଇ ଏହି ସଂଶୋଧିତ ଆଇନ ଜାରି କରିଛନ୍ତି ସରକାର । ଆସନ୍ତା ୩୦ ଦିନ ମଧ୍ୟରେ ଆପତ୍ତି ଓ ଅଭିଯୋଗ କରିବା ଲାଗି ମଧ୍ୟ ଆହ୍ୱାନ କରାଯାଇଛି । ଏହି ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ଓଡ଼ିଶା ପୌରପାଳିକା ନିୟମାବଳୀ-୧୯୯୪ର ଅଧ୍ୟାୟ ୩ରେ ସଂଶୋଧନ କରିଛନ୍ତି । ତେବେ ପ୍ରତ୍ୟକ୍ଷ ହେଉ ଅବା ପରୋକ୍ଷ ନିର୍ବାଚନ ଲୋକଙ୍କ ପାଇଁ କାମ କରିବା ଦରକାର ବୋଲି ବିଜେଡି କହିଛି । କଂଗ୍ରେସ ଏହାକୁ ସ୍ବାଗତ କରିଥିବା ବେଳେ ଶୀଘ୍ର ନିର୍ବାଚନ ସାରିବାକୁ ଦାବି କରିଛି । ସେପଟେ ବିଜେପି କହିଛି ଏହା ସରକାରଙ୍କ ରାଜନୈତିକ ଡ୍ରାମା ।
ଏହି ପ୍ରତ୍ୟକ୍ଷ ନିର୍ବାଚନ ନେଇ ଗୄହନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ନିର୍ବାଚନ ସମୟରେ କାଉନସିଲର ଓ ଅଧ୍ୟକ୍ଷ ପଦବୀ ପାଇଁ ଦୁଇଟି ସ୍ୱତନ୍ତ୍ର ଭିନ୍ନ ରଙ୍ଗର ବାଲାଟ୍ ପେପର ରହିବ । ପୌରାଞ୍ଚଳର ଜନସଂଖ୍ୟା ଆଧାରରେ ଅଧ୍ୟକ୍ଷ ପଦବୀ କେଉଁ ବର୍ଗର ହେବେ ତାହା ସ୍ଥିର ହେବ । ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୋଟିଏ ଓ ୱାର୍ଡର କାଉନସିଲର ନିର୍ବାଚନ ପାଇଁ ଅନ୍ୟ ଗୋଟିଏ, ଏହିପରି ଦୁଇଟି ଭିନ୍ନ ଭିନ୍ନ ଭୋଟବାକ୍ସ ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ରହିବ । ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କ ନିମନ୍ତେ ସାଧାରଣ ଭାବେ ଏହା ବ୍ୟବହାର କରାଯିବ । ନିର୍ବାଚନ ଅଧିକାରୀ ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ସଂଖ୍ୟକ ଭୋଟବାକ୍ସ ଯୋଗାଇ ଦେବେ । ଏହି ଭୋଟ ବାକ୍ସଗୁଡ଼ିକର ଆକାର ଓ ପ୍ରକାର ମଧ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନୁମୋଦିତ ହେବ । ପୂର୍ବରୁ କର୍ପୋରେଟରଙ୍କ ଦ୍ବାରା ମେୟର ଏବଂ କାଉନସିଲରଙ୍କ ଦ୍ବାରା ମ୍ୟୁନସିପାଲଟି ବା ଏନଏସି ଚେୟାରମ୍ୟାନ ନିର୍ବାଚିତ ହେଉଥିଲେ ।