ଓଡିଶା

odisha

ETV Bharat / city

ଏଥର ଅନଲାଇନରେ ହେବ ଧାନ ସଂଗ୍ରହ

ଧାନ ସଂଗ୍ରହରେ ପୂର୍ଣ୍ଣ ସ୍ବଚ୍ଛତା ଆଣିବା ପାଇଁ ଏଥର ଚାଷୀଙ୍କଠାରୁ ଅନଲାଇନ୍‌ ମାଧ୍ୟମରେ ଧାନ ସଂଗ୍ରହ କରାଯିବାକୁ ସ୍ଥିର ହୋଇଛି । ଅଧିକ ପଢନ୍ତୁ...

ଅନଲାଇନରେ ହେବ ଧାନ ସଂଗ୍ରହ

By

Published : Oct 24, 2019, 10:24 PM IST

ଭୁବନେଶ୍ବର: ଏଥର ଅନଲାଇନରେ ହେବ ଚାଷୀଙ୍କ ଠାରୁ ଧାନ ସଂଗ୍ରହ । ଏଥିପାଇଁ ପି-ପାସ୍‌ ବ୍ୟବସ୍ଥାରେ ଉନ୍ନତ ଜ୍ଞାନ କୌଶଳର ବ୍ୟବହାର କରାଯାଇଛି । ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣକୁ ଆଧାର ସଂଯୋଗ କରାଯାଇଛି । ଯେପରି ପ୍ରକୃତ ଚାଷୀ ଚିହ୍ନଟ ହୋଇପାରିବେ । ଏଥି ସହିତ କେନ୍ଦ୍ରୀକୃତ ବ୍ୟବସ୍ଥାରେ ଧାନ ସଂଗ୍ରହ ନିମନ୍ତେ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଆଗୁଆ ଅନ୍‌ଲାଇନ୍‌ ଟୋକେନ୍‌ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହା ସେମାନଙ୍କର ମୋବାଇଲ୍‌ରେ ମଧ୍ୟ ଉପଲବ୍ଧ ହେବ । ଧାର୍ଯ୍ୟ ସମୟ ମଧ୍ୟରେ ଧାନ ସଂଗ୍ରହ କରାଯାଇ ଚାଷୀମାନଙ୍କୁ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅର୍ଥ ଦେବାର ବ୍ୟବସ୍ଥା କରାଯାଇଛି ।

ସେହିପରି ମିଲରମାନଙ୍କ ପକ୍ଷରୁ ଧାର୍ଯ୍ୟ ସମୟ ମଧ୍ୟରେ ସଂଗୃହୀତ ଧାନକୁ ଚାଉଳ କରି ରାଜ୍ୟ ସରକାରଙ୍କ ହସ୍ତାନ୍ତର କରିବା ପାଇଁ କୁହାଯାଇଛି, ଯେପରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଠିକ୍‌ ସମୟରେ ଚାଉଳ ଉପଲବ୍ଧ ହୋଇପାରିବ ।


ଚଳିତ ବର୍ଷ ରାଜ୍ୟ ସରକାର ସମୁଦାୟ ୬୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ କେବଳ ଖରିଫ୍‌ ଋତୁରେ ୫୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଯେଉଁସବୁ ଜିଲ୍ଲାରେ ଶୀଘ୍ର ଧାନ ଅମଳ କରାଯାଉଛି ସେହିସବୁ ଜିଲ୍ଲାଗୁଡ଼ିକରେ ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ । ସେହିପରି ବିଳମ୍ବରେ ଧାନ ଅମଳ ହେଉଥିବା ଜିଲ୍ଲାଗୁଡ଼ିକରେ ନଭେମ୍ବର ୧୬ରୁ ୩୦ ତାରିଖ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ କରାଯିବ । ଏଥି ନିମନ୍ତେ ସଂପୃକ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ବୈଠକ କରାଯାଇ ଉପରୋକ୍ତ ଅବଧି ମଧ୍ୟରେ ଧାନ ସଂଗ୍ରହର ତାରିଖ ଓ ଧାନ ସଂଗ୍ରହ କେନ୍ଦ୍ରର ତାଲିକା ଓ ସ୍ଥାନ ଚୂଡ଼ାନ୍ତ କରାଯିବ । ଧାନ କିଣାଯିବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରାଯିବ ।

ଖରିଫ ଧାନ ସଂଗ୍ରହ କାର୍ଯ୍ୟ ମାର୍ଚ୍ଚ-୨୦୨୦ ମସିହା ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କଷ୍ଟମ ମିଲରମାନଙ୍କ ତାଲିକା ଚୂଡ଼ାନ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଥି ନିମନ୍ତେ ମିଲରମାନଙ୍କ ପାଇଁ ପୂର୍ବ ବର୍ଷର ଶତ ପ୍ରତିଶତ ଚାଉଳ ଧାର୍ଯ୍ୟ ସମୟ ମଧ୍ୟରେ ଯୋଗାଇ ଦେବା ପାଇଁ ସର୍ତ୍ତ ରଖାଯାଇଛି ।

ଧାନ ସଂଗ୍ରହ ବାବଦରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଜିଲ୍ଲାମାନଙ୍କୁ ବିସ୍ତୃତ ମାର୍ଗଦର୍ଶିକା ଯୋଗାଇ ଦିଆଯାଇଛି । ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ରାଜ୍ୟ ସରକାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଗୁରୁତ୍ବ ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ ପ୍ରାଥମିକ କୃଷି ସମବାୟ ସମିତି ସମେତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମଧ୍ୟ ଧାନ ସଂଗ୍ରହ କରାଯିବ ।

ଚଳିତ ବର୍ଷ ବରଗଡ଼, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଆଦି ୯ଟି ଜିଲ୍ଲାର ୧୫୦ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଖରିଫ୍‌ ଧାନ ସଂଗ୍ରହ କାର୍ଯ୍ୟ କରାଯିବ । ଏଥି ନିମନ୍ତେ ଜିଲ୍ଲାପାଳଙ୍କ ସ୍ତରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଧାନ ସଂଗ୍ରହ ବିଷୟରେ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏଥିରେ ପି-ପାସ୍‌ର ନବିକୃତ ସଫ୍ଟୱେୟାର, ଧାନର ଏଫ୍‌ଏକ୍ୟୁ ମାନ, ସରକାର ଦେଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ, ରେକର୍ଡ ଏବଂ ରେଜିଷ୍ଟର ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି ।

ଇତି ମଧ୍ୟରେ ଭଦ୍ରକ, କଳାହାଣ୍ଡି, କୋରାପୁଟ, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପ୍ରଶିକ୍ଷଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି ବୋଲି ସୂଚନା ଦିଆଯାଇଛି । ଚଳିତ ବର୍ଷ ଧାନ ସଂଗ୍ରହ ନିମନ୍ତେ ୧୨ ଲକ୍ଷ ୩୫ ହଜାର ୯୦୮ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବାବେଳେ ସମସ୍ତଙ୍କର ଆଧାର ସଂଯୋଗ ଏବଂ ବୈଧ ବ୍ୟାଙ୍କ୍‌ ଆକାଉଣ୍ଟର ଯାଞ୍ଚ କାର୍ଯ୍ୟ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥି ସହିତ ଚାଷୀମାନଙ୍କର ଜମି, ଭାଗଚାଷୀ ଚିହ୍ନଟ, ଜଳସେଚିତ ଜମିର ପରିମାଣ ଓ ଭୂଲେଖ ଆଦି ଯାଞ୍ଚ କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details